--:--:--
-- ---
Srishti News

ରକ୍ତଦାନରେ ଶତକ: ମାନବସେବାରେ ନୂଆପଡ଼ାର ଶିକ୍ଷକ କିଶୋରଙ୍କ ନୂଆ ମାଇଲଖୁଣ୍ଟି

Nuapada (ନୂଆପଡ଼ା)ବିଜୟ ବରିହାAugust 15, 202636 views
ରକ୍ତଦାନରେ ଶତକ: ମାନବସେବାରେ ନୂଆପଡ଼ାର ଶିକ୍ଷକ କିଶୋରଙ୍କ ନୂଆ ମାଇଲଖୁଣ୍ଟି
ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନର ମହତ୍ତ୍ୱ ଓ ମାନବସେବାର ବାର୍ତ୍ତା ନେଇ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକାରୀ ଅମ୍ରିତ ପାଳ ସିଂ ଏବଂ SDMO ଦ୍ୱାରିକାନାଥ ଶତପଥୀ ଉପସ୍ଥିତ ଥିଲେ। ତେବେ ଏହି ଶିବିରର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ଶିକ୍ଷକ କିଶୋର କୁମାର ପରିଡ଼ାଙ୍କ ୧୦୦ତମ ରକ୍ତଦାନ। ପେସାରେ ଜଣେ ଶିକ୍ଷକ, କିନ୍ତୁ ନିଶା ହେଉଛି ମାନବସେବା। ରକ୍ତଦାନ କ୍ଷେତ୍ରରେ ଦୀର୍ଘଦିନ ଧରି ନିରନ୍ତର ସେବା କରି ଆସୁଥିବା କିଶୋର କୁମାର ପରିଡ଼ା ଆଜି ନିଜର ୧୦୦ତମ ରକ୍ତଦାନ କରି ଏକ ନୂଆ ମାଇଲଖୁଣ୍ଟି ସ୍ଥାପନ କରିଛନ୍ତି। କିଏ ଚିହ୍ନା, କିଏ ଅଚିହ୍ନା—ରକ୍ତର ଆବଶ୍ୟକତା ଥିବା ଖବର ମିଳିଲେ ସହାୟତାର ହାତ ବଢ଼ାଇବାକୁ ସଦା ଆଗେଇ ଆସନ୍ତି ପରିଡ଼ା। ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରେରିତ କରିଆସୁଛନ୍ତି। ତାଙ୍କ ପାଇଁ ରକ୍ତଦାନ କେବଳ ଏକ ଦାନ ନୁହେଁ, ବରଂ ଏହା ହେଉଛି ଜୀବନ ବଞ୍ଚାଇବାର ଏକ ମହାନ ସେବା। ନୂଆପଡ଼ା ଜିଲ୍ଲାରେ ରକ୍ତଦାତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପରିଡ଼ାଙ୍କ ଏହି ନିଷ୍ଠା ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। “୧୦୦ ଥର ରକ୍ତଦାନ କରିପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ରକ୍ତ ଅଭାବରୁ ଯେପରି କାହାର ଜୀବନ ନ ଯାଏ, ଏହା ମୋର ଲକ୍ଷ୍ୟ। ଆଗାମୀ ଦିନରେ ମଧ୍ୟ ଜୀବନସାରା ରକ୍ତଦାନ ଓ ମାନବସେବା ଜାରି ରଖିବି। ସମସ୍ତେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ଆଗେଇ ଆସନ୍ତୁ।” ଜଣେ ଶିକ୍ଷକ ଭାବେ ଜ୍ଞାନ ବାଣ୍ଟିବା ସହ ଜଣେ ରକ୍ତଦାତା ଭାବେ ଜୀବନ ବଞ୍ଚାଇବାର ଅଭିଯାନରେ ନିଜକୁ ସାମିଲ କରିଛନ୍ତି କିଶୋର କୁମାର ପରିଡ଼ା। ତାଙ୍କ ୧୦୦ତମ ରକ୍ତଦାନ କେବଳ ଏକ ସଂଖ୍ୟା ନୁହେଁ, ବରଂ ମାନବସେବା ପ୍ରତି ତାଙ୍କର ଦୀର୍ଘ ନିଷ୍ଠା ଓ ସମର୍ପଣର ପ୍ରତୀକ। ତାଙ୍କ ଏହି ମହତ୍‌ ପ୍ରୟାସ ନୂଆପଡ଼ା ଜିଲ୍ଲାର ଅନେକ ଯୁବକ ଓ ସାଧାରଣ ଲୋକଙ୍କୁ ରକ୍ତଦାନ ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।