--:--:--
-- ---
Srishti News

ବରୁଣେଶ୍ୱର ମନ୍ଦିର ପରିସରରେ ଶିଶୁ କଳାକାରଙ୍କୁ ସମ୍ବର୍ଦ୍ଧନା

Jajpur (ଯାଜପୁର)ଯାଜପୁରରୁ ଉଦୟନାଥ ଜେନାଙ୍କ ସହ ନିର୍ମଳ ଜେନାଙ୍କ ରିପୋର୍ଟAugust 14, 202696 views
ବରୁଣେଶ୍ୱର ମନ୍ଦିର ପରିସରରେ ଶିଶୁ କଳାକାରଙ୍କୁ ସମ୍ବର୍ଦ୍ଧନା
ବିଞ୍ଝାରପୁର, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବରୁଣେଶ୍ୱର ମନ୍ଦିର ପରିସରସ୍ଥିତ ନାମମଣ୍ଡପରେ ଶିଶୁ କଳାକାରମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଅଲ୍ ଇଣ୍ଡିଆ ରେଡିଓ ପକ୍ଷରୁ ଚୟନ ହୋଇଥିବା ଅଞ୍ଚଳର ଚାରିଜଣ ଶିଶୁ କଳାକାରଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଦିନେଶ କୁମାର ମଲ୍ଲିକଙ୍କ ପ୍ରେରଣାରେ ଶିଶୁ କଳାକାର ପ୍ରିୟେସ, ସୁସଙ୍କେତ, ସୁଦୀକ୍ଷା ଓ ଅଭିଗ୍ନା ନିଜର ସୁମଧୁର କଣ୍ଠ ଓ ସଙ୍ଗୀତ ପ୍ରତିଭା ପାଇଁ ଅଲ୍ ଇଣ୍ଡିଆ ରେଡିଓରେ ଚୟନ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ପ୍ରତିଭାବାନ ଶିଶୁ କଳାକାରମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ଉଦ୍ଦେଶ୍ୟରେ ନଳିନୀ ପ୍ରଭା ଦାସ ଫାଉଣ୍ଡେସନ୍ ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସାମାଜିକ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଫାଉଣ୍ଡେସନ୍‌ର ବିଭିନ୍ନ ପଦକ୍ଷେପ ରହିଥିବା ବେଳେ ଶିଶୁ ପ୍ରତିଭାର ବିକାଶକୁ ପ୍ରୋତ୍ସାହନ ଦେବା ଏହି ପଦକ୍ଷେପକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ସଭାରେ ନାମମଣ୍ଡପର ବାବା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଦର୍ଶକ ଓ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଆନନ୍ଦମୟୀ ଶିଶୁ ନିକେତନର ପ୍ରତିଷ୍ଠାତା ଅକ୍ଷୟ ଦାସ ଯୋଗଦେଇ ଶିଶୁମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାର ବିକାଶ ପାଇଁ ପରିବାର, ସମାଜ ଓ ଅନୁଷ୍ଠାନଗୁଡ଼ିକର ଭୂମିକା ସମ୍ପର୍କରେ ମତ ରଖିଥିଲେ। ଅବସରରେ ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ କର୍ମ ଓ ଫଳର ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। “କର୍ମ କରିଣ ଫଳ ପାଏ, ପ୍ରାଣୀଏ ଅବଶ୍ୟ ଭୁଞ୍ଜଇ” ବାର୍ତ୍ତା ମାଧ୍ୟମରେ ଉପସ୍ଥିତ ଅତିଥିମାନେ ଶିଶୁ କଳାକାରମାନଙ୍କୁ ନିଷ୍ଠା ଓ ପରିଶ୍ରମ ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ସଭା ଶେଷରେ ଚାରିଜଣ ଶିଶୁ କଳାକାରଙ୍କୁ ସାର୍ଟିଫିକେଟ୍ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁ କଳାକାରମାନଙ୍କ ପ୍ରତିଭାକୁ ଏଭଳି ଭାବେ ସମ୍ମାନିତ କରାଯିବା ଆଗାମୀ ଦିନରେ ସେମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀ ମତ ପ୍ରକାଶ କରିଥିଲେ। ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସମାପ୍ତ ଘୋଷଣା କରିଥିଲେ।