--:--:--
-- ---
Srishti News

ଆଇନଜୀବୀଙ୍କ ସୁରକ୍ଷା ଦାବି: ଜିଲାପାଳ ଓ ଏସ୍‌ପିଙ୍କୁ ଲୟର୍ସ ଆସୋସିଏସନ୍‌ର ସ୍ମାରକପତ୍ର

Bargarh (ବରଗଡ଼)ସତ୍ୟ ସୁରୁଜାଲAugust 14, 202618 views
ଆଇନଜୀବୀଙ୍କ ସୁରକ୍ଷା ଦାବି: ଜିଲାପାଳ ଓ ଏସ୍‌ପିଙ୍କୁ ଲୟର୍ସ ଆସୋସିଏସନ୍‌ର ସ୍ମାରକପତ୍ର
ବରଗଡ଼: ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ଉପରେ ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ସହ ଆଇନଜୀବୀମାନଙ୍କ ସୁରକ୍ଷା ଦାବିରେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍ ପକ୍ଷରୁ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ଓ ଏସ୍‌ପି ରବିନ୍ଦ୍ରନାଥ ଶତପଥୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବରଗଡ଼ ଜିଲା ବାର୍ ଆସୋସିଏସନ୍‌ର ସଭାପତି ତଥା ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ଭୀଷ୍ମଦେବ ସରାଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଆଇନଜୀବୀମାନେ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ଭୟରେ ଓ ମର୍ଯ୍ୟାଦାର ସହ ତୁଲାଇବା ପାଇଁ ସୁରକ୍ଷିତ ପରିବେଶ ଆବଶ୍ୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଘଟଣା ସମ୍ପର୍କରେ ବରଗଡ଼ ଟାଉନ୍ ଥାନାରେ ମାମଲା ନଂ-୪୬୨/୨୦୨୬ରେ ଏତଲା ରୁଜୁ ହୋଇସାରିଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ, ନିରପେକ୍ଷ ତଦନ୍ତ, ଆବଶ୍ୟକ ସ୍ଥଳେ ସ୍ପେଶାଲ୍ ପବ୍ଲିକ୍ ପ୍ରୋସିକ୍ୟୁଟର ନିଯୁକ୍ତି ଏବଂ ଆଇନଜୀବୀମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ଏହି ପ୍ରତିନିଧିମଣ୍ଡଳରେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ତଥା ଆଠମଲ୍ଲିକ ବାର୍ ସଭାପତି ସୁଶାନ୍ତ କୁମାର ମହାପାତ୍ର, ଅନୁଗୁଳ ବାର୍ ସଭାପତି ଦିଲ୍ଲୀପ କୁମାର ସାହୁ, ଛେଣ୍ଡିପଦା ବାର୍ ସଭାପତି ନଗେନ କୁମାର ନନ୍ଦ, ସମ୍ବଲପୁର ବାର୍ ସମ୍ପାଦକ ପ୍ରବୀଣ କୁମାର ସିଂହଦେଓ, ସଭ୍ୟ ତାରିଣୀ ପାଣିଗ୍ରାହୀଙ୍କ ସମେତ ବରଗଡ଼ ଜିଲା ଓକିଲ ସଂଘର ଉପସଭାପତି ଉତ୍ତର କୁମାର ସାହୁ, ସମ୍ପାଦକ ହରିହର ପ୍ରଧାନ ଓ ଯୁଗ୍ମ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।