--:--:--
-- ---
Srishti News

ସରକାରୀ କାର୍ଯ୍ୟଦିବସରେ ସ୍ୱାସ୍ଥ୍ୟକେନ୍ଦ୍ର ହିସାବ ବିଭାଗରେ ତାଲା

Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣି ବେହେରା, ଚିଲିକା, ଖୋର୍ଦ୍ଧାAugust 14, 202671 views
ସରକାରୀ କାର୍ଯ୍ୟଦିବସରେ ସ୍ୱାସ୍ଥ୍ୟକେନ୍ଦ୍ର ହିସାବ ବିଭାଗରେ ତାଲା
ଟାଙ୍ଗୀ: ସରକାରୀ କାର୍ଯ୍ୟଦିବସରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ହିସାବ ବିଭାଗ କାର୍ଯ୍ୟାଳୟ ବନ୍ଦ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଗଷ୍ଟ ୧୩ ତାରିଖ ଗୁରୁବାର ସରକାରୀ କାର୍ଯ୍ୟଦିବସ ଥିବା ସତ୍ତ୍ୱେ ଉକ୍ତ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ହିସାବ ବିଭାଗର ଦାୟିତ୍ୱରେ ଥିବା କର୍ମଚାରୀ ସରକାରୀ ନିବାସରେ ରହୁଥିଲେ ମଧ୍ୟ ସେଦିନ କାର୍ଯ୍ୟାଳୟ ଖୋଲିବାକୁ ଆସିନଥିବା ଅଭିଯୋଗ ହୋଇଛି। ଫଳରେ ବିଭିନ୍ନ କାମରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଲୋକେ ହଇରାଣ ହେଉଥିବା ଅଭିଯୋଗ ଉଠିଛି। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଭାବେ ଡା. ସତ୍ୟରଞ୍ଜନ ନନ୍ଦ ଦାୟିତ୍ୱରେ ଅଛନ୍ତି। ସେ ପ୍ରସୂତି ରୋଗୀଙ୍କ ଚିକିତ୍ସା, ପ୍ରସବ ଓ ଅସ୍ତ୍ରୋପଚାର ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବାରୁ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କିଛି କର୍ମଚାରୀ ନିଜ ଦାୟିତ୍ୱରେ ଅବହେଳା କରୁଥିବା ନେଇ ସ୍ଥାନୀୟ ମହଲରୁ ଅଭିଯୋଗ ହୋଇଛି। ସରକାରୀ କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟରେ ଖୋଲିବା ଓ ସାଧାରଣ ଲୋକଙ୍କୁ ସେବା ଯୋଗାଇବା ସରକାରୀ କର୍ମଚାରୀଙ୍କ ଦାୟିତ୍ୱ। ଏଭଳି ଅବ୍ୟବସ୍ଥା ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଲୋକେ ଅନାବଶ୍ୟକ ଭାବେ ହଇରାଣ ହେଉଥିବାରୁ ଘଟଣାର ତଦନ୍ତ କରି ଦାୟୀ କର୍ମଚାରୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିବା ଜଣାପଡ଼ିଛି।