--:--:--
-- ---
Srishti News

ଏମ୍‌ଆର୍‌ପି ଉଲ୍ଲଂଘନ ରୋକିବାକୁ ଅଚାନକ ଯାଞ୍ଚ: ଅବକାରୀ ବିଭାଗକୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ: ଜୁଲାଇରେ ୧୯୩ ମାମଲା, ୧୦୮ ଗିରଫ; ଅବକାରୀ ରାଜସ୍ୱ ଆଦାୟରେ ୮.୦୭% ବୃଦ୍ଧି

Nuapada (ନୂଆପଡ଼ା)ବିଜୟ ବରିହାAugust 13, 202613 views
ଏମ୍‌ଆର୍‌ପି ଉଲ୍ଲଂଘନ ରୋକିବାକୁ ଅଚାନକ ଯାଞ୍ଚ: ଅବକାରୀ ବିଭାଗକୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ: ଜୁଲାଇରେ ୧୯୩ ମାମଲା, ୧୦୮ ଗିରଫ; ଅବକାରୀ ରାଜସ୍ୱ ଆଦାୟରେ ୮.୦୭% ବୃଦ୍ଧି
ନୂଆପଡ଼ା, ୧୩/୦୮: ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅବୈଧ ମଦ କାରବାର ଉପରେ ରୋକ୍‌ ଲଗାଇବା ସହ ମଦ ଦୋକାନରେ ଏମ୍‌ଆର୍‌ପି ଉଲ୍ଲଂଘନ ରୋକିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବୈଠକର ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ବିଭାଗ ପକ୍ଷରୁ ଜିଲ୍ଲାରେ ଚାଲିଥିବା ଆଇନ ପ୍ରବର୍ତ୍ତନ, ଅବୈଧ ମଦ ବିରୋଧୀ ଚଢ଼ାଉ, ମାମଲା ରୁଜୁ, ଜବତ ଓ ରାଜସ୍ୱ ଆଦାୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଜୁଲାଇ ମାସରେ ୧୯୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୦୮ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୬୮ଟି ମାମଲା କୋର୍ଟକୁ ପଠାଯାଇଛି। ଏହି ସମୟରେ ବିଭାଗ ପକ୍ଷରୁ ୨,୨୮୨ ଲିଟର ଆଇଡି ମଦ, ୮୭୭.୪ ବଲ୍କ ଲିଟର ଓଏସ୍‌ ମଦ ଓ ୪୪,୫୩୦ ଲିଟର ଫରମେଣ୍ଟେଡ୍‌ ମହୁଲି ୱାଶ୍‌ ଜବତ କରାଯାଇଛି। ରାଜସ୍ୱ ଆଦାୟ କ୍ଷେତ୍ରରେ ମଧ୍ୟ ଜିଲ୍ଲା ଉଲ୍ଲେଖନୀୟ ପ୍ରଗତି କରିଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩୨ କୋଟି ୫୭ ଲକ୍ଷ ଟଙ୍କାର ବାର୍ଷିକ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୭ କୋଟି ୨୯ ଲକ୍ଷ ୯୦ ହଜାର ୬୨୪ ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏହା ବାର୍ଷିକ ଲକ୍ଷ୍ୟର ୨୨.୪୧ ପ୍ରତିଶତ। ଗତବର୍ଷର ସମାନ ଅବଧି ତୁଳନାରେ ଏଥର ରାଜସ୍ୱ ଆଦାୟରେ ୮.୦୭ ପ୍ରତିଶତ ବୃଦ୍ଧି ହୋଇଛି। ସମୀକ୍ଷା ସମୟରେ ଜିଲ୍ଲାପାଳ ମଦ ଦୋକାନଗୁଡ଼ିକରେ ନିର୍ଦ୍ଧାରିତ ଏମ୍‌ଆର୍‌ପିଠାରୁ ଅଧିକ ଦରରେ ମଦ ବିକ୍ରି ହେଉଛି କି ନାହିଁ, ତାହା ନିୟମିତ ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଅଚାନକ ଚଢ଼ାଉ ଓ ଯାଞ୍ଚକୁ ଆହୁରି ଜୋରଦାର କରିବା ସହ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସେ କହିଥିଲେ। ଏଥିସହ ଚୋରା ମଦ କାରବାର ବିରୋଧରେ ଚଢ଼ାଉକୁ ଆହୁରି ବ୍ୟାପକ କରିବା ସହ ନିୟମିତ ଫିଲ୍ଡ ମନିଟରିଂ ମାଧ୍ୟମରେ ଅବୈଧ କାରବାର ଉପରେ ରୋକ୍‌ ଲଗାଇବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ସେକ୍ସନ ଅଫିସର ସୌମ୍ୟକାନ୍ତ ଓଟ୍ଟା, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ଅବକାରୀ ସହକାରୀ ଉପ-ନିରୀକ୍ଷକ ବଳଭଦ୍ର ରାଉତଙ୍କ ସମେତ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।