--:--:--
-- ---
Srishti News

ମାଲିକଙ୍କ ଅଜାଣତରେ ୪ ଏକର ୪୦ ଡେସିମିଲ ଜମି ବିକ୍ରି! ନକଲି ଫଟୋ, ଆଧାର ଓ ଦଲିଲରେ ଜମି ହଡ଼ପ ଅଭିଯୋଗ; ତଦନ୍ତ ଆରମ୍ଭ

Nuapada (ନୂଆପଡ଼ା)ଗିରେନ୍ଦ୍ର ଜଗତ, କୋମନାAugust 13, 202639 views
ମାଲିକଙ୍କ ଅଜାଣତରେ ୪ ଏକର ୪୦ ଡେସିମିଲ ଜମି ବିକ୍ରି!  ନକଲି ଫଟୋ, ଆଧାର ଓ ଦଲିଲରେ ଜମି ହଡ଼ପ ଅଭିଯୋଗ; ତଦନ୍ତ ଆରମ୍ଭ
କୋମନା: ଜମି ମାଲିକଙ୍କ ଅଜାଣତରେ ନକଲି ଫଟୋ, ପରିଚୟପତ୍ର ଓ ଆବଶ୍ୟକ କାଗଜପତ୍ର ବ୍ୟବହାର କରି ପ୍ରାୟ ୪ ଏକର ୪୦ ଡେସିମିଲ ମୂଲ୍ୟବାନ ଚାଷଜମି ବିକ୍ରି ହୋଇଥିବା ଅଭିଯୋଗକୁ ନେଇ ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଫସଲବୀମା କରିବାକୁ ଯାଇଥିବା ବେଳେ ନିଜ ଜମି ଆଉ ନିଜ ନାଁରେ ନଥିବା ଜାଣିବା ପରେ ପ୍ରକୃତ ଜମିମାଲିକ ଓ ପରିବାର ଲୋକେ ହତବାକ୍ ହୋଇପଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ, କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗାଁର ସତ୍ୟନାରାୟଣ ପ୍ରଧାନୀଙ୍କ ନାଁରେ ୪ ଏକର ୪୦ ଡେସିମିଲ ଚାଷଜମି ରହିଥିଲା। ଗତକାଲି ସେ ଫସଲବୀମା ପାଇଁ ଜମି ପଟ୍ଟା ଧରି ସମବାୟ ସମିତିକୁ ଯାଇଥିଲେ। ତେବେ ସେଠାରେ ତାଙ୍କ ଜମି ଆଉ ତାଙ୍କ ନାଁରେ ନଥିବା ଏବଂ ଜମିଟି ବିକ୍ରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସତ୍ୟନାରାୟଣଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଜମି ସମ୍ବନ୍ଧୀୟ ଖାତା ନମ୍ବର ୧୭୮/୩୮୧, ୧୭୮/୩୮୨ ଓ ୧୭୮/୩୮୩ ରହିଛି। ତାଙ୍କ ଅଜାଣତରେ ଏହି ଜମିକୁ ଅନ୍ୟମାନଙ୍କ ନାଁରେ ବିକ୍ରି କରାଯାଇ ରେକର୍ଡଭୁକ୍ତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଜମିର ସରକାରୀ ମୂଲ୍ୟ ପ୍ରାୟ ୬୬ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଅଭିଯୋଗରେ ଆହୁରି କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳର ପର୍ଶୁରାମ ପାଢ଼ୀ, ପାଟଣାଗଡ଼ର ସଞ୍ଜୟ କୁମାର ଅଗ୍ରୱାଲ ଓ ରାମପୁର ଅଞ୍ଚଳର ବୀରେନ୍ଦ୍ର ସରାଫଙ୍କ ନାଁରେ ଉକ୍ତ ଜମି ରେକର୍ଡଭୁକ୍ତ ହୋଇଛି। ଗତ ଫେବୃଆରୀ ୧୧ ତାରିଖର ଏକ ବିକ୍ରୟ ଦଲିଲରେ ସତ୍ୟନାରାୟଣ ପ୍ରଧାନୀ ଓ ତାଙ୍କ ପତ୍ନୀ କୁମୁଦିନୀଙ୍କୁ ବିକ୍ରେତା ଭାବେ ଦର୍ଶାଯାଇଥିବା ବେଳେ ସେମାନେ ଜମି ବିକ୍ରି କରିନଥିବା ଦାବି କରିଛନ୍ତି। ଏହି ଘଟଣାରେ ନକଲି ଫଟୋ, ଆଧାର କାର୍ଡ, ଜମି ପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ବ୍ୟବହାର କରାଯାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ଉଠିଛି। ଏହା ପଛରେ ଦଲାଲଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। ଜମି ବିକ୍ରୟ ସମୟରେ ପ୍ରକୃତ ମାଲିକଙ୍କ ପରିଚୟ, ଫଟୋ, ଦସ୍ତଖତ ଓ ଅନ୍ୟାନ୍ୟ ପ୍ରମାଣପତ୍ର କିପରି ଯାଞ୍ଚ କରାଗଲା, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ଘଟଣା ପରେ ଆଜି ସତ୍ୟନାରାୟଣ ପ୍ରଧାନୀ, ତାଙ୍କ ସମ୍ପର୍କୀୟ ଶାନ୍ତି ପ୍ରଧାନୀ, ନବୀନ ଚନ୍ଦ୍ର ପ୍ରଧାନୀଙ୍କ ସମେତ ପରିବାର ସଦସ୍ୟମାନେ କୋମନା ତହସିଲଦାର ତଥା ସବରେଜିଷ୍ଟ୍ରାର ସର୍ବେଶ୍ୱର ଜାଲଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ମୂଳ ରାଜସ୍ୱ ରେକର୍ଡ, ବିକ୍ରୟ ଦଲିଲ, ଫଟୋ, ପରିଚୟପତ୍ର, ଦସ୍ତଖତ ଓ ପଞ୍ଜୀକରଣ ପ୍ରକ୍ରିୟାର ନିରପେକ୍ଷ ଯାଞ୍ଚ କରି ଜମିକୁ ପ୍ରକୃତ ମାଲିକଙ୍କୁ ଫେରାଇବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏନେଇ କୋମନା ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ କୋମନା ଥାନାରେ ଏତଲା ଦିଆଯାଇଥିବା ଏବଂ ପୁଲିସ ତଦନ୍ତ ପରେ ସମସ୍ତ ସତ୍ୟତା ସାମ୍ନାକୁ ଆସିବ ବୋଲି ସେ କହିଥିବା ଜଣାପଡ଼ିଛି। ସନ୍ଧ୍ୟାରେ ପରିବାର ଲୋକେ କୋମନା ଥାନାରେ ପହଞ୍ଚି ଏନେଇ ବିସ୍ତୃତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ନେଇ କୋମନା ପୁଲିସ କେତେକ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ ଜମି ବିକ୍ରୟ ପଛରେ ପ୍ରକୃତରେ କିଏ, କେଉଁ ପ୍ରକ୍ରିୟାରେ ଏହି ଜାଲିଆତି ହୋଇଛି ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି—ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ବର୍ଷ ବର୍ଷ ଧରି ପରିବାରର ଦଖଲରେ ଥିବା ଚାଷଜମି ହଠାତ୍ ଅନ୍ୟମାନଙ୍କ ନାଁରେ ରେକର୍ଡଭୁକ୍ତ ହୋଇଯିବା ଘଟଣା ସାଧାରଣ ଜମିମାଲିକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ାଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ପ୍ରକୃତ ମାଲିକଙ୍କୁ ତାଙ୍କ ଜମି ଫେରାଇବା ଦିଗରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା।