--:--:--
-- ---
Srishti News

ସାର କଳାବଜାରୀ ଉପରେ ଜିଲ୍ଲାପାଳଙ୍କ କଡ଼ା ନଜର: ଖରିଫ୍‌ ଚାଷ ପାଇଁ ସାର ଯୋଗାଣ ବ୍ୟବସ୍ଥା ସୁଦୃଢ଼ କରିବାକୁ ନିର୍ଦ୍ଦେଶ | ଅନିୟମିତତା ହେଲେ ଲାଇସେନ୍ସ ବାତିଲ ସହ ବ୍ଲାକ୍‌ଲିଷ୍ଟ

Nuapada (ନୂଆପଡ଼ା)ବିଜୟ ବରିହା, ନୂଆପଡାAugust 12, 202611 views
ସାର କଳାବଜାରୀ ଉପରେ ଜିଲ୍ଲାପାଳଙ୍କ କଡ଼ା ନଜର: ଖରିଫ୍‌ ଚାଷ ପାଇଁ ସାର ଯୋଗାଣ ବ୍ୟବସ୍ଥା ସୁଦୃଢ଼ କରିବାକୁ ନିର୍ଦ୍ଦେଶ | ଅନିୟମିତତା ହେଲେ ଲାଇସେନ୍ସ ବାତିଲ ସହ ବ୍ଲାକ୍‌ଲିଷ୍ଟ
ନୂଆପଡ଼ା, ଖରିଫ୍‌ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ସାର ଓ କୃଷି ସାମଗ୍ରୀ ସୁବିଧାରେ ମିଳିବା ସହ ସାର କଳାବଜାରୀ ଓ ମହଜୁଦଦାରୀ ଉପରେ ରୋକ୍‌ ଲଗାଇବାକୁ ନୂଆପଡ଼ା ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଖରିଫ୍‌ କୃଷି ରଣନୀତି କମିଟି ବୈଠକ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଚଳିତ ଖରିଫ୍‌ ଋତୁରେ କୃଷକମାନଙ୍କୁ ସାର, ବିହନ ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସହ ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତିରାଣୀ ପ୍ରଧାନ ଜିଲ୍ଲାରେ ଚାଲୁଥିବା କୃଷି କାର୍ଯ୍ୟକ୍ରମ ଓ ଖରିଫ୍‌ କାର୍ଯ୍ୟଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଓ ୱାଟରସେଡ୍‌ ବିଭାଗ ପକ୍ଷରୁ ମଧ୍ୟ ନିଜ ନିଜ ବିଭାଗର ଖରିଫ୍‌ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ୟୁରିଆ ଦର ବଢ଼ାଇଲେ କାର୍ଯ୍ୟାନୁଷ୍ଠାନ ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ମିଳୁଛି କି ନାହିଁ, ତାହା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ହୋଲସେଲରଙ୍କ ବିକ୍ରୟ ବିବରଣୀକୁ ରିଟେଲରଙ୍କ ପ୍ରକୃତ ଷ୍ଟକ୍‌ ସହ ଯାଞ୍ଚ କରାଯିବ। ବିକ୍ରୟ ତଥ୍ୟ ଓ ବାସ୍ତବ ଷ୍ଟକ୍‌ ମଧ୍ୟରେ ଅସଙ୍ଗତି ମିଳିଲେ ତୁରନ୍ତ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ। ବିଶେଷକରି ନିର୍ଦ୍ଧାରିତ ୨୬୬–୨୬୭ ଟଙ୍କାଠାରୁ ଅଧିକ ଦରରେ ୟୁରିଆ ବିକ୍ରି କଲେ ସମ୍ପୃକ୍ତ ବେସରକାରୀ ରିଟେଲରଙ୍କ ବିରୋଧରେ କଠୋର ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଆବଶ୍ୟକ ହେଲେ ଲାଇସେନ୍ସ ବାତିଲ ଓ ବ୍ଲାକ୍‌ଲିଷ୍ଟ କରାଯିବ ବୋଲି ଚେତାବନୀ ଦିଆଯାଇଛି। କଳାବଜାରୀ ରୋକିବାକୁ ନିୟମିତ ଯାଞ୍ଚ ବର୍ତ୍ତମାନ ସାରର ଚାହିଦା ବଢ଼ିଥିବାରୁ ସମସ୍ତ ଫର୍ଟିଲାଇଜର ଇନ୍ସପେକ୍ଟରଙ୍କୁ ନିୟମିତ ଯାଞ୍ଚ ସହ କଡ଼ା ଏନ୍‌ଫୋର୍ସମେଣ୍ଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସାରର କଳାବଜାରୀ, ବେଆଇନ ମହଜୁଦଦାରୀ, ଅଧିକ ଦରରେ ବିକ୍ରି ଓ ବେଆଇନ ଡାଇଭର୍ସନ୍‌ ଭଳି ଅନିୟମିତତା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। PACSରେ ମଧ୍ୟ ଅନିୟମିତତା ଦେଖାଦେଲେ ତୁରନ୍ତ ଜିଲ୍ଲାପାଳ କିମ୍ବା DRCଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି। ଜିଲ୍ଲାରେ ଲକ୍ଷାଧିକ ବସ୍ତା ସାର ମହଜୁଦ ବୈଠକରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଆଜି ସୁଦ୍ଧା ନୂଆପଡ଼ା ଜିଲ୍ଲାରେ ୧,୧୦,୫୧୭ ବସ୍ତା ୟୁରିଆ, ୯,୫୯୪ ବସ୍ତା DAP, ୬,୮୭୭ ବସ୍ତା MOP, ୪,୧୭୬ ବସ୍ତା SSP ଏବଂ ୧୮,୭୮୩ ବସ୍ତା NPKS ଉପଲବ୍ଧ ରହିଛି। ବୈଠକରେ ADA ଦୀପାଶ୍ରୀ ମଣ୍ଡଳ, BAO ସତ୍ୟଭୂଷଣ ନାଗ, AAO ବର୍ଷା ଆଜାଦଙ୍କ ସମେତ କୃଷି ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପାଞ୍ଚ ପ୍ରଗତିଶୀଳ କୃଷକ ସମ୍ମାନିତ ଏହି ଅବସରରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସିନାପାଲିର ଚୈତନ୍ୟ ମେହେର, ବୋଡ଼େନର ଲୋଚନ ମାଝୀ, ଖରିଆରର ଭୂପେନ୍ଦ୍ର ବାଗ, ନୂଆପଡ଼ାର ରମେଶ ବାରିହା ଏବଂ କୋମନାର ନରେନ୍ଦ୍ର ଧରୁଆଙ୍କୁ ପ୍ରଗତିଶୀଳ କୃଷକ ଭାବେ ସମ୍ମାନିତ କରାଯାଇଥିଲା। ଚାଷୀଙ୍କୁ ସାର ଯୋଗାଣରେ ସ୍ୱଚ୍ଛତା ଓ ନିର୍ଦ୍ଧାରିତ ଦର ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ହୋଇଥିବା ବେଳେ, ଆଗାମୀ ଦିନରେ ସାର ବିକ୍ରି ବ୍ୟବସ୍ଥା ଉପରେ ପ୍ରଶାସନର ଯାଞ୍ଚ ଆହୁରି କଡ଼ା ହେବ ବୋଲି ବୈଠକରୁ ସ୍ପଷ୍ଟ ହୋଇଛି।