ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ କର୍ମୀ ଓ ଜନତା
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 12, 202673 views

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଉତ୍ସାହ ଓ ଦେଶପ୍ରେମର ଭାବନା ସହିତ ପାଳିତ ହେଉଛି ‘ହର ଘର ତ୍ରିରଙ୍ଗା’ ଅଭିଯାନ। ଏହା ସହିତ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, ମେଡିକାଲ ସମେତ ବିଭିନ୍ନ ସ୍ଥାନରେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଅଲ୍ୟାଣୀ ମଣ୍ଡପଠାରେ ହର ଘର ତ୍ରିରଙ୍ଗା ଅଭିଯାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଶତାଧିକ ବିଜେପି କର୍ମୀ ଓ ସାଧାରଣ ଜନତାଙ୍କୁ ନେଇ ଏକ ବିଶାଳ ମୋଟରସାଇକେଲ ରାଲି ବାହାରିଥିଲା। ଜାତୀୟ ପତାକା ଧରି ଦେଶପ୍ରେମର ସ୍ଲୋଗାନ ଦେଇ କର୍ମୀମାନେ ଧାମନଗର, ଦୋବଲ ଓ ଖଡ଼ିପଦା ବଜାର ପରିକ୍ରମା କରିଥିଲେ।ପରେ ରାଲି ଅନାଦପୁରଠାରେ ପହଞ୍ଚିଥିଲା। ସେଠାରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜେପି କର୍ମୀଙ୍କ ସହ କିଛି ସାଧାରଣ ଲୋକ ମଧ୍ୟ ରାଲିରେ ସାମିଲ ହୋଇଥିଲେ। ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।
‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶର ଗୌରବ ଓ ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କୁ ସ୍ମରଣ କରିବାର ବାର୍ତ୍ତା ଦିଆଯାଉଛି।
