ବୋଡ଼େନ ଏସ୍ଏସ୍ଡି ହାଇସ୍କୁଲରେ ଅଭାବନୀୟ ଘଟଣା: ଛାତ୍ରଙ୍କୁ ମାଡ଼ ଅଭିଯୋଗ; ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି — ଘଟଣା ନେଇ ଥାନାରେ ଅଭିଯୋଗ
Nuapada (ନୂଆପଡ଼ା)ରିପୋର୍ଟ : କଶ୍ୟପ ଜଗତ, ବୋଡେ଼ନAugust 11, 202643 views

ବୋଡ଼େନ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ସହ ସୁରକ୍ଷିତ ପରିବେଶ ଯୋଗାଇଦେବା ଲକ୍ଷ୍ୟରେ ସରକାର ଆବାସିକ ବିଦ୍ୟାଳୟ ଓ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି। ତେବେ ଏହି ବ୍ୟବସ୍ଥା ମଧ୍ୟରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଏକ ଅଭାବନୀୟ ଅଭିଯୋଗ ନୂଆପଡ଼ା ଜିଲ୍ଲା ବୋଡ଼େନ ସଦରସ୍ଥିତ ସରକାରୀ ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟରୁ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ସିନାପାଲି ବ୍ଲକ ନିଲଜୀ ଗ୍ରାମର ଚତୁର ମାଝୀ ନାମକ ଜଣେ ଛାତ୍ର ବୋଡ଼େନ ସେବାଶ୍ରମ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ପ୍ରାୟ ଦୁଇ ମାସ ପୂର୍ବେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ବିଧବା ମା’ ଅମ୍ବିକା ମାଝୀ ପୁଅର ଭବିଷ୍ୟତ ପାଇଁ ତାଙ୍କୁ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇଥିଲେ।
ଅଭିଯୋଗ ଅନୁସାରେ, ପ୍ରାୟ ଚାରି ଦିନ ପୂର୍ବେ ବିଦ୍ୟାଳୟର କିଛି ଛାତ୍ର ଚତୁରଙ୍କୁ ମାଡ଼ ମାରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈତାରୀ ବିଶ୍ୱାଳ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ପିତାମ୍ବର ମେହେର ଅବଗତ ଥିଲେ ମଧ୍ୟ ଘଟଣା ସମ୍ପର୍କରେ ଛାତ୍ରଙ୍କ ପରିବାରକୁ ଜଣାଇ ନଥିବା ନେଇ ଅଭିଯୋଗ ହୋଇଛି।
ଘଟଣାର ଖବର ପାଇବା ପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସହସମ୍ପାଦକ ପ୍ରସନ୍ନ ମାଝୀ, ସିନାପାଲି ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ମାଝୀ, ଦିନନାଥ ମାଝୀ, ଉପେନ୍ଦ୍ର ମାଝୀ, ସାମ୍ବାଦିକ ଭାଗ୍ୟବାନ ମାଝୀ ଓ ସମାଜସେବୀ ଅରବିନ୍ଦ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତ ଛାତ୍ରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ଅଭିଯୋଗ ଆଧାରରେ ବୋଡ଼େନ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି। ହଷ୍ଟେଲ ପରିସରରେ ଛାତ୍ରଙ୍କ ସହ ଏଭଳି ଘଟଣା କିପରି ଘଟିଲା ଏବଂ ଘଟଣା ପରେ ତୁରନ୍ତ ଅଭିଭାବକଙ୍କୁ କାହିଁକି ଅବଗତ କରାଯାଇନଥିଲା, ତାହାର ନିରପେକ୍ଷ ତଦନ୍ତ ଦାବି ହେଉଛି।
ଘଟଣାର ପ୍ରକୃତ କାରଣ, ଛାତ୍ରଙ୍କୁ ମାଡ଼ ମାରିବାରେ କେଉଁମାନେ ସମ୍ପୃକ୍ତ ଏବଂ ବିଦ୍ୟାଳୟ ପକ୍ଷରୁ କୌଣସି ଅବହେଳା ହୋଇଛି କି ନାହିଁ—ପୁଲିସ ତଦନ୍ତ ପରେ ଏହା ସ୍ପଷ୍ଟ ହେବ।
