--:--:--
-- ---
Srishti News

ମନ୍ଦିର ପ୍ରାଙ୍ଗଣରୁ ମୃତ ବଳଦର ମରଶରୀର ଉଦ୍ଧାର: ମାନବିକତାର ନିଆରା ଉଦାହରଣ ‘ସଂକଳ୍ପ ସେବା ସଂଘ’: ଗୋମାତାଙ୍କୁ ନେଇ ଆମର ଭକ୍ତି କେବଳ ଦୁଗ୍ଧ ପର୍ଯ୍ୟନ୍ତ? ମାଲିକଙ୍କ ଦାୟିତ୍ୱହୀନତା ଉପରେ ଉଠିଲା ପ୍ରଶ୍ନ

Nuapada (ନୂଆପଡ଼ା)ରିପୋର୍ଟ: ମଳୟ ମେହେର, ଜିଲ୍ଲା ପ୍ରତିନିଧିAugust 11, 202699 views
ମନ୍ଦିର ପ୍ରାଙ୍ଗଣରୁ ମୃତ ବଳଦର ମରଶରୀର ଉଦ୍ଧାର: ମାନବିକତାର ନିଆରା ଉଦାହରଣ ‘ସଂକଳ୍ପ ସେବା ସଂଘ’: ଗୋମାତାଙ୍କୁ ନେଇ ଆମର ଭକ୍ତି କେବଳ ଦୁଗ୍ଧ ପର୍ଯ୍ୟନ୍ତ? ମାଲିକଙ୍କ ଦାୟିତ୍ୱହୀନତା ଉପରେ ଉଠିଲା ପ୍ରଶ୍ନ
ସିନାପାଲି: ନିଃସ୍ୱାର୍ଥ ସେବା, ମାନବିକତା ଓ ସାମାଜିକ ଦାୟିତ୍ୱର ଆଉ ଏକ ଉଦାହରଣ ସୃଷ୍ଟି କରିଛି ସିନାପାଲିର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସଂକଳ୍ପ ସେବା ସଂଘ’। ଜଣେ ମୃତ ବଳଦକୁ ଅସହାୟ ଅବସ୍ଥାରେ ଛାଡ଼ି ଦିଆଯାଇଥିବା ବେଳେ ତାହାର ମରଶରୀରକୁ ସମ୍ମାନର ସହ ଉଦ୍ଧାର କରି ସୁରକ୍ଷିତ ଭାବେ ପୋତି ଦେଇଛନ୍ତି ସଂଘର ସଦସ୍ୟମାନେ। ଖବରରୁ ପ୍ରକାଶ ଯେ, ସିନାପାଲିସ୍ଥିତ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖର ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ବଳଦର ମୃତ୍ୟୁ ଘଟିବା ପରେ ତାହାର ମରଶରୀର ପଡ଼ି ରହିଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ‘ସଂକଳ୍ପ ସେବା ସଂଘ’ର ସଦସ୍ୟମାନେ ତୁରନ୍ତ ସିନାପାଲି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ। ପଞ୍ଚାୟତର ଟ୍ରାକ୍ଟର ସହାୟତାରେ ମନ୍ଦିର ପରିସରରୁ ବଳଦର ମରଶରୀରକୁ ସମ୍ମାନର ସହ ଉଠାଇ ନିଆଯାଇଥିଲା। ପରେ ମନ୍ଦିର ପରିସରଠାରୁ ଦୂରରେ ଏକ ସୁରକ୍ଷିତ ସ୍ଥାନରେ ତାହାକୁ ପୋତି ଦିଆଯାଇଥିଲା। ଏହି ସମଗ୍ର ସେବା କାର୍ଯ୍ୟ ମାଧ୍ୟମରେ ସଂଘର ସଦସ୍ୟମାନେ ପୁଣିଥରେ ସମାଜକୁ ମାନବିକତାର ଏକ ଉତ୍କୃଷ୍ଟ ବାର୍ତ୍ତା ଦେଇଛନ୍ତି। ଏହି ସେବା କାର୍ଯ୍ୟରେ ସଂଘର ପ୍ରମୁଖ ସମାଜସେବୀ ଚିତ୍ତରଞ୍ଜନ ମେହେର, ସୁରଜ କୁମାର ମେହେର, ବିଦ୍ୟାଧର ସା, ବୁଦ୍ଧଦେବ ମେହେର, ଲିଙ୍ଗରାଜ ଜଗତ, ଜିତେନ୍ଦ୍ର କୁମାର ମେହେର, ଧନଞ୍ଜୟ ମେହେର ଓ ଭରତ ଚନ୍ଦ୍ର ନିଆଲଙ୍କ ସମେତ ବାବା ଚନ୍ଦ୍ରଶେଖର ମନ୍ଦିର କମିଟିର ସଭାପତି ଉପସ୍ଥିତ ରହି କାର୍ଯ୍ୟଟିକୁ ସଫଳତାର ସହ ସମ୍ପାଦନ କରିଥିଲେ। ‘ସଂକଳ୍ପ’ କେବଳ ନାମରେ ନୁହେଁ, କାର୍ଯ୍ୟରେ ପ୍ରମାଣ “ସଂକଳ୍ପ କେବଳ ନାମରେ ନୁହେଁ, ବରଂ କାର୍ଯ୍ୟରେ ସେବା ନିୟୋଜିତ କରିବା ଆମର ମୂଳ ଲକ୍ଷ୍ୟ।” — ଏହି ମୂଳମନ୍ତ୍ରକୁ ନେଇ ସଂଘ ନିରନ୍ତର ଭାବେ ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ ରହିଆସିଛି। ମୃତ ବଳଦର ମରଶରୀରକୁ ଅସମ୍ମାନଜନକ ଭାବେ ପଡ଼ି ରହିବାକୁ ନଦେଇ ସମ୍ମାନର ସହ ତାହାକୁ ପୋତିବା ଘଟଣା ସଂଘର ସେବା ମନୋଭାବର ଏକ ନିଆରା ପରିଚୟ ଦେଇଛି। କେବଳ ଦୁଗ୍ଧ ପାଇଁ ଗୋମାତା ନୁହେଁ, ଦାୟିତ୍ୱ ମଧ୍ୟ ନେବାକୁ ପଡ଼ିବ ତେବେ ଏହି ଘଟଣା ଅନେକ ଗୁରୁତର ପ୍ରଶ୍ନ ମଧ୍ୟ ଛିଡ଼ା କରିଛି। ଯେଉଁ ବଳଦକୁ କିଏ ଏମିତି ଅବସ୍ଥାରେ ଛାଡ଼ି ଦେଲା? ମୃତ୍ୟୁ ପରେ ତାହାର ଶେଷକୃତ୍ୟ କରିବାର ଦାୟିତ୍ୱ କାହାର? ଗୋମାତାଙ୍କୁ ନେଇ ଆମ ସମାଜରେ ଭକ୍ତି ଓ ଧାର୍ମିକ ଭାବନାର ଅଭାବ ନାହିଁ। କିନ୍ତୁ ବାସ୍ତବତା ହେଉଛି—ଗାଈ ଦୁଗ୍ଧ ଦେଉଥିବା ପର୍ଯ୍ୟନ୍ତ ତାକୁ ଘରେ ରଖିବା ଏବଂ ଦୁଗ୍ଧ ଦେବା ବନ୍ଦ କଲେ କିମ୍ବା ବଳଦ ବୃଦ୍ଧ, ଅସୁସ୍ଥ ବା ଅସହାୟ ହେଲେ ରାସ୍ତାକୁ ଛାଡ଼ିଦେବା—ଏପରି ମାନସିକତା ନିଶ୍ଚିତ ଭାବେ ଚିନ୍ତାଜନକ। ଯେଉଁମାନେ ନିଜର ପଶୁକୁ କେବଳ ଆର୍ଥିକ ଲାଭର ଏକ ମାଧ୍ୟମ ଭାବେ ଦେଖନ୍ତି ଏବଂ ଲାଭ ସରିଗଲେ ତାହାର ଯତ୍ନ ନିଅନ୍ତି ନାହିଁ, ସେମାନଙ୍କ ଏପରି ଦାୟିତ୍ୱହୀନ ମନୋଭାବ ଉପରେ ଆତ୍ମସମୀକ୍ଷାର ସମୟ ଆସିଛି। ପଶୁ ପାଳନ କେବଳ ଲାଭ ଉପାର୍ଜନର ଅଧିକାର ନୁହେଁ; ତାହା ସହ ଜଡ଼ିତ ରହିଛି ଯତ୍ନ, ସୁରକ୍ଷା ଓ ମାନବିକ ଦାୟିତ୍ୱ। ସଂକଳ୍ପ ଦେଖାଇଲା ବାଟ, ଏବେ ସଚେତନ ହେଉ ସମାଜ ଗୋଟିଏ ପଟେ ଯେଉଁଠି କେହି ନିଜର ପଶୁର ଦାୟିତ୍ୱ ନନେଇ ତାକୁ ଅସହାୟ ଭାବେ ଛାଡ଼ି ଦେଉଛନ୍ତି, ଅନ୍ୟପଟେ ‘ସଂକଳ୍ପ ସେବା ସଂଘ’ ଭଳି ସାମାଜିକ ଅନୁଷ୍ଠାନ ନିଜର ନୁହେଁ ଥିବା ଏକ ମୃତ ପଶୁର ମରଶରୀରକୁ ମଧ୍ୟ ସମ୍ମାନ ଦେଇ ତାହାର ଶେଷ ବ୍ୟବସ୍ଥା କରୁଛି। ଏହି ଦୁଇଟି ଚିତ୍ର ଆମ ସମାଜ ପାଇଁ ଏକ ବଡ଼ ଶିକ୍ଷା। ପଶୁପକ୍ଷୀଙ୍କ ପ୍ରତି ଦୟା, ଯତ୍ନ ଓ ଦାୟିତ୍ୱବୋଧ କେବଳ କଥାରେ ନୁହେଁ, କାର୍ଯ୍ୟରେ ପ୍ରତିଫଳିତ ହେବା ଆବଶ୍ୟକ। ମୃତ୍ୟୁ ପରେ ମରଶରୀରକୁ ରାସ୍ତା, ମନ୍ଦିର ପରିସର କିମ୍ବା ସର୍ବସାଧାରଣ ସ୍ଥାନରେ ଛାଡ଼ି ନଦେଇ ଉପଯୁକ୍ତ ବ୍ୟବସ୍ଥା କରିବା ମଧ୍ୟ ପଶୁ ମାଲିକଙ୍କ ନୈତିକ ଦାୟିତ୍ୱ। ‘ସଂକଳ୍ପ ସେବା ସଂଘ’ର ଏହି ପଦକ୍ଷେପକୁ ସିନାପାଲି ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି। ସଂଘର ଏହି ସେବା କେବଳ ଏକ ମୃତ ବଳଦର ଶେଷ ବ୍ୟବସ୍ଥା ନୁହେଁ, ବରଂ ‘ପଶୁ ମଧ୍ୟ ଜୀବନ, ତାହାର ପ୍ରତି ମଧ୍ୟ ଆମର ଦାୟିତ୍ୱ ଅଛି’—ଏହି ମାନବିକ ବାର୍ତ୍ତାର ଏକ ଶକ୍ତିଶାଳୀ ଉଦାହରଣ।