ଖବର ପ୍ରକାଶ ପରେ ତତ୍ପର ସ୍ୱାସ୍ଥ୍ୟ ବିଭାଗ କେଲୁଆରେ ପହଞ୍ଚିଲା ଡାକ୍ତରୀ ଦଳ, ୮୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 11, 202661 views

ଦୁର୍ଗମ କେଲୁଆ ଗାଁରେ ଦୀର୍ଘ ୧୫ ଦିନ ଧରି ଜ୍ୱର, ଥଣ୍ଡା ଓ କାଶ ଭଳି ରୋଗ ବ୍ୟାପିବା ନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ସୋମବାର ନାକୁରୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କେଲୁଆ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ଆୟୁଷ ଡାକ୍ତର ହିମାଂଶୁ ଶେଖର ସାମନ୍ତଙ୍କ ନେତୃତ୍ୱରେ ଫାର୍ମାସିଷ୍ଟ ଗୋପାଳକୃଷ୍ଣ ବେହେରା, ଛବିତ୍ର ନାଏକ, ସ୍ୱାସ୍ଥ୍ୟକର୍ମୀ କେଶବ ମାଝୀ, ହିମାଂଶୁ ଶବର, ମ୍ୟାଲେରିଆ ସୁପରଭାଇଜର ଅଜିତ କୁମାର ପଣ୍ଡା ଓ ଆଶାକର୍ମୀ ରେବତୀ ନାଏକଙ୍କୁ ନେଇ ଗଠିତ ଦଳ ଗାଁରେ ପହଞ୍ଚି ରୋଗୀମାନଙ୍କୁ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ବଣ୍ଟନ କରିଥିଲେ। ଡାକ୍ତରୀ ଦଳ ପକ୍ଷରୁ ଗାଁର ମୋଟ ୮୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ସମସ୍ତ ନମୁନା ମ୍ୟାଲେରିଆ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ଅଧିକାଂଶ ଲୋକ ସାଧାରଣ ଥଣ୍ଡା, ସର୍ଦି ଓ କାଶରେ ପୀଡ଼ିତ ଥିବା ଡାକ୍ତରୀ ଦଳ ପକ୍ଷରୁ କୁହାଯାଇଛି। ଏହାସହ ଆବଶ୍ୟକ ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଛି। ନାକୁରୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏହି ଅତି ଦୁର୍ଗମ କେଲୁଆ ଗାଁରେ ପ୍ରାୟ ୬୦ଟି ଆଦିବାସୀ ପରିବାର ବସବାସ କରନ୍ତି। ଗତ ପ୍ରାୟ ୧୫ ଦିନ ଧରି ଅନେକ ଗ୍ରାମବାସୀ ଜ୍ୱର, ଥଣ୍ଡା ଓ କାଶରେ ପୀଡ଼ିତ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସ୍ୱାସ୍ଥ୍ୟସେବା ପହଞ୍ଚିବାରେ ଅସୁବିଧା ରହିଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ, ଗାଁରେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଥିବା ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ବର୍ଷାଦିନେ ଦୂଷିତ ପାଣି ବ୍ୟବହାର କରିବାକୁ ପଡ଼ୁଥିବାରୁ ଆଗାମୀ ଦିନରେ ବିଭିନ୍ନ ଜଳବାହିତ ରୋଗର ଆଶଙ୍କା ରହିଛି। ତେଣୁ କେବଳ ତୁରନ୍ତ ଚିକିତ୍ସା ନୁହେଁ, ଗାଁରେ ନିରାପଦ ପାନୀୟ ଜଳ ଯୋଗାଣ ଓ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ଗାଁରେ ପହଞ୍ଚି ତୁରନ୍ତ ଚିକିତ୍ସା ସେବା ଯୋଗାଇଥିବାରୁ କେଲୁଆ ଗ୍ରାମବାସୀ ଗଣମାଧ୍ୟମ ଓ ସ୍ୱାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

