--:--:--
-- ---
Srishti News

ପାଲଲହଡ଼ାରେ ଅନାଥ ଶିଶୁଙ୍କ ଭାଙ୍ଗିଗଲା ଘର; ସହାୟତା ପାଇଁ ଆଗେଇଲା କଂଗ୍ରେସ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 10, 202678 views
ପାଲଲହଡ଼ାରେ ଅନାଥ ଶିଶୁଙ୍କ ଭାଙ୍ଗିଗଲା ଘର; ସହାୟତା ପାଇଁ ଆଗେଇଲା କଂଗ୍ରେସ
ପାଲଲହଡ଼ା: ପ୍ରବଳ ବର୍ଷାରେ ଭାଙ୍ଗିଗଲା କଚ୍ଚା ଘର। ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନ ପାଇ ଖୋଲା ଆକାଶ ତଳେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବାପା-ମାଆ ଛେଉଣ୍ଡ ତିନି ଅନାଥ ଶିଶୁ। ଏଭଳି ଦୟନୀୟ ଘଟଣା ସାମ୍ନାକୁ ଆସିଛି ପାଲଲହଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଇଞ୍ଜିଡି ପଞ୍ଚାୟତର ସାଆନ୍ଦା (ବେଲାପଶି) ଗ୍ରାମରୁ। ସ୍ୱର୍ଗତ ଗୋବିନ୍ଦ ବଦରା ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତ ଜିରା ବଦରାଙ୍କ ତିନି ସନ୍ତାନ ୧୪ ବର୍ଷୀୟା ଚୁମକି ବଦରା, ୧୦ ବର୍ଷୀୟ ବିନୋଦ ବଦରା ଓ ୫ ବର୍ଷୀୟ ରଞ୍ଜନ ବଦରା ଏବେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପ୍ରବଳ ବର୍ଷାରେ ସେମାନଙ୍କ କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ ତିନି ଶିଶୁଙ୍କ ଦୁଃଖ ଆହୁରି ବଢ଼ିଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପାଲଲହଡ଼ା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକଙ୍କ ନିର୍ଦ୍ଦେଶକ୍ରମେ ପାଲଲହଡ଼ା ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ସାହୁ, ୨୪ ନମ୍ବର ଜୋନ୍ ସଭାପତି ବୁବୁଲୁ ପ୍ରଧାନ, ଇଞ୍ଜିଡି ପଞ୍ଚାୟତ ସଭାପତି ଧୀର ସାହୁ ଓ ବ୍ଲକ କଂଗ୍ରେସ କମିଟିର ପବିତ୍ର ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେମାନେ ଅନାଥ ଶିଶୁମାନଙ୍କୁ ଭେଟି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଶିଶୁମାନଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରି ଏକ ସରକାରୀ ଘର ଯୋଗାଇଦେବା ସହ ଆବଶ୍ୟକୀୟ ସମସ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି କରାଯାଇଛି। ଅସହାୟ ତିନି ଅନାଥ ଶିଶୁଙ୍କୁ ତୁରନ୍ତ ସହାୟତା ମିଳିବା ସହ ସେମାନେ ସୁରକ୍ଷିତ ଭାବେ ସମ୍ମାନର ସହ ଜୀବନ ବିତାଇପାରିବେ ବୋଲି ଆଶା ପ୍ରକାଶ ପାଇଛି।