--:--:--
-- ---
Srishti News

ଧାନ ପଞ୍ଜୀକରଣ ସମସ୍ୟା ଓ 'ଏଗ୍ରିଷ୍ଟାକ୍' ନିୟମ ବିରୋଧରେ ତହସିଲ ଅଫିସ୍ ଘେରାଉ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 10, 202644 views
ଧାନ ପଞ୍ଜୀକରଣ ସମସ୍ୟା ଓ 'ଏଗ୍ରିଷ୍ଟାକ୍' ନିୟମ ବିରୋଧରେ ତହସିଲ ଅଫିସ୍ ଘେରାଉ
ପ୍ରତି ଫସଲ ଋତୁରେ ଧାନ ପଞ୍ଜୀକରଣ ଓ ବିକ୍ରି ସମୟରେ ଅଯୌକ୍ତିକ କଟକଣା ଏବଂ ଜଟିଳ ନିୟମାବଳୀ ଯୋଗୁଁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ଚାଷୀ ସମୟସୀମା ମଧ୍ୟରେ ପଞ୍ଜୀକରଣ କରିବାରୁ ବଞ୍ଚିତ ହେଉଥିବା ବେଳେ ଯୋଗ୍ୟ ଚାଷୀଙ୍କ ନିକଟକୁ ଟୋକନ୍ ନଆସିବା ଗତ ଫସଲରେ ଦେଖିବାକୁ ମିଳିଥିଲା। ଏହା ଭିତରେ ଚଳିତ ଫସଲରେ ସରକାର ପୁଣି 'ଏଗ୍ରିଷ୍ଟାକ୍' ଭଳି ଅବାନ୍ତର ନିୟମ ଲାଗୁ କରିବା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାର ପ୍ରତିବାଦରେ ଆସନ୍ତାକାଲି (ସୋମବାର) ଗୋଡ଼ଭଗା ଦୁର୍ଗା ମନ୍ଦିରରୁ ଏକ ବିଶାଳ ରାଲି ବାହାରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରାଯିବ। ଏହା ସହ କୃଷି ବିଭାଗ ଓ ତହସିଲ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି 'ଓଡ଼ିଶା ରାଜ୍ୟ କୃଷକ ସଂଗଠନ' ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗୋଡ଼ଭଗାଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଂଗଠନ ପକ୍ଷରୁ ନିମ୍ନଲିଖିତ ୬ ଦଫା ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି: ନୂତନ ଭାବେ ଲାଗୁ କରାଯାଇଥିବା 'ଏଗ୍ରିଷ୍ଟାକ୍' ନିୟମକୁ ସମ୍ପୂର୍ଣ୍ଣ ବାତିଲ କରାଯାଉ। ପୂର୍ବଭଳି ସରଳ ଉପାୟରେ ଧାନ ପଞ୍ଜୀକରଣ ପ୍ରକ୍ରିୟା ଜାରି ରଖାଯାଉ। ଜମିର ଆରଓଆର୍ (ପଟ୍ଟା ନାମ) ସମ୍ପୂର୍ଣ୍ଣ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ କୌଣସି ନୂଆ କଠୋର ନିୟମ ଲାଗୁ ନକରାଯାଉ। ପଞ୍ଜୀକୃତ ହୋଇଥିବା ସମସ୍ତ ଜମି ପାଇଁ ଶତପ୍ରତିଶତ ଟୋକନ୍ ଯୋଗାଇ ଦିଆଯାଉ ଏବଂ କୌଣସି ବି ଚାଷୀଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରାନଯାଉ। ଦେବୋତ୍ତର ଜମିରେ ଚାଷ କରୁଥିବା ଚାଷୀଙ୍କୁ ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ କରାଯାଉ। ପଞ୍ଜୀକରଣ ସମୟରେ ଚାଷୀଙ୍କୁ ତୁରନ୍ତ ପଞ୍ଜୀକରଣର ଲିଖିତ ପ୍ରମାଣପତ୍ର/ରସିଦ ପ୍ରଦାନ କରାଯାଉ। ଉକ୍ତ ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ସୋମବାରଠାରୁ ବ୍ୟାପକ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୈଠକରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ଭୁବନ ପ୍ରଧାନ, ସମ୍ପାଦକ ନରେନ୍ଦ୍ର ପ୍ରଧାନ, ଚାଷୀ ନେତା ବିରେନ୍ଦ୍ର କର, ଟିକେଲାଲ ମିଶ୍ର, ପାପା ରାଓ, ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।