ଲଗାଣ ବର୍ଷାରେ ସାଦକପୁର ପଞ୍ଚାୟତର ହଜାରୀ ମହଲ୍ଲା ଜଳବନ୍ଦୀ : ଅଢେଇ ହଜାରରୁ ଅଧିକ ଲୋକେ ଦୁର୍ଦ୍ଦଶାରେ, ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ
Jajpur (ଯାଜପୁର)କୋରେଇରୁ ବସନ୍ତ କୁମାର ମଲ୍ଲିକଙ୍କ ରିପୋର୍ଟAugust 10, 20267 views

ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ପଞ୍ଚାୟତର ଫାଜଲପୁର ଗ୍ରାମସ୍ଥିତ ହଜାରୀ ମହଲ୍ଲାରେ ଦେଖାଦେଇଛି ଜଳବନ୍ଦୀ ସମସ୍ୟା। ଦୀର୍ଘ ପ୍ରାୟ ୧୦ ବର୍ଷ ଧରି ବର୍ଷା ଋତୁ ଆସିଲେ ଏହି ଅଞ୍ଚଳର ଲୋକେ ଜଳବନ୍ଦୀ ଓ ଜଳନିଷ୍କାସନ ସମସ୍ୟାରେ ଜର୍ଜରିତ ହେଉଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହଜାରୀ ମହଲ୍ଲାରେ ଅଢେଇ ହଜାରରୁ ଅଧିକ ଲୋକ ବସବାସ କରୁଥିବାବେଳେ ଲଗାଣ ବର୍ଷା ହେଲେ ନାଳ, ନର୍ଦ୍ଦମା ଓ ଜଳନିଷ୍କାସନ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷାଜଳ ଦୀର୍ଘ ସମୟ ଧରି ଜମି ରହୁଛି। ଫଳରେ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହେଉଛି।
ଜଳବନ୍ଦୀ ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜ ଯିବାରେ ଅସୁବିଧା ଭୋଗୁଛନ୍ତି। ଏପରିକି ଜରୁରୀ ସମୟରେ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଗ୍ରାମ ମଧ୍ୟକୁ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବଜାରକୁ ଯିବାରେ ମଧ୍ୟ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବର୍ଷାଜଳ ଜମି ରହିବା ଯୋଗୁଁ ସାପ ଓ ଅନ୍ୟାନ୍ୟ ସରୀସୃପ ଘର ଆଖପାଖକୁ ଚାଲିଆସିବାର ଆଶଙ୍କା ମଧ୍ୟ ରହୁଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସାପ କାମୁଡ଼ା ଭଳି ଅଘଟଣକୁ ନେଇ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ତେଣୁ ତୁରନ୍ତ ହଜାରୀ ମହଲ୍ଲାର ନାଳ ଓ ନର୍ଦ୍ଦମା ସଫା କରିବା ସହ ଜଳନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଶିକ୍ଷା, ରୋଗୀଙ୍କ ଚିକିତ୍ସା ଓ ସାଧାରଣ ଲୋକଙ୍କ ଜୀବନଯାପନ ଆହୁରି ପ୍ରଭାବିତ ହେବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।
