ବାଘଶାଳା ରାଧାକାନ୍ତ ମଠର ମହନ୍ତ ହେଲେ ଗୋପାଳ ଦାସ, ବିଧାୟକ ରୂପେଶଙ୍କ ଉପସ୍ଥିତିରେ ଉତ୍ତରାଧିକାରୀ ଘୋଷଣା
Gajapati (ଗଜପତି)ପାରଳାଖେମୁଣ୍ଡି, ହରିଶ୍ଚନ୍ଦ୍ର ପରିଛାAugust 9, 202619 views

ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ବାଘଶାଳା ଗ୍ରାମର ପ୍ରସିଦ୍ଧ ରାଧାକାନ୍ତ ମଠର ନୂତନ ମହନ୍ତ ଭାବେ ଗୋପାଳ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ମଠର ମହନ୍ତ ମହାରାଜ ଓ ସାଧୁସନ୍ଥଙ୍କ ଉପସ୍ଥିତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଛି।
ପୂର୍ବତନ ମହନ୍ତ ରାଧାଚରଣ ଦାସଙ୍କ ବିୟୋଗ ପରେ ଦୀର୍ଘଦିନ ଧରି ମଠରେ ସ୍ଥାୟୀ ମହନ୍ତ ନଥିବାରୁ ପରିଚାଳନାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ମଠ ପରିଚାଳିତ ବିଦ୍ୟାଳୟର କର୍ମକର୍ତ୍ତା, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୂର୍ବରୁ କାଶୀନଗର ମହନ୍ତ ମହାରାଜଙ୍କୁ ଉତ୍ତରାଧିକାରୀ ତଥା ଚେଲା ଭାବେ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସ୍ଥାୟୀ ଭାବେ ମହନ୍ତ ଦାୟିତ୍ୱ ଗ୍ରହଣ ହୋଇନଥିଲା।
ଏହି ପରିପ୍ରେକ୍ଷୀରେ ବିଶେଷ ଧାର୍ମିକ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗୋପାଳ ଦାସଙ୍କୁ ରାଧାକାନ୍ତ ମଠର ମହନ୍ତ ମହାରାଜ ଭାବେ ଉତ୍ତରାଧିକାରୀ ତଥା ଚେଲା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ପୁରୀ ରାଧାକାନ୍ତ ମଠ, ପାରଳାଖେମୁଣ୍ଡି, ଟେକିଲି, ଶ୍ରୀକାକୁଲମ, ଚାଙ୍ଗୁଡ଼ି ଆଦି ବିଭିନ୍ନ ମଠର ମହନ୍ତ ମହାରାଜଙ୍କ ସମେତ ବହୁ ସାଧୁସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ନୂତନ ମହନ୍ତ ଭାବେ ଗୋପାଳ ଦାସ ଦାୟିତ୍ୱ ନେବା ପରେ ମଠର ଧାର୍ମିକ ପରମ୍ପରା, ପୂଜାପାଠ ଓ ସାମାଜିକ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ସହ ମଠ ପରିଚାଳିତ ବିଦ୍ୟାଳୟର କାର୍ଯ୍ୟକୁ ସୁଚାରୁ ଭାବେ ଆଗେଇ ନେବେ ବୋଲି ଆଶା ପ୍ରକାଶ ପାଇଛି। ତାଙ୍କ ଦାୟିତ୍ୱ ଗ୍ରହଣକୁ ନେଇ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

