ମନ୍ତ୍ରୀ କଲେ କାଉଡ଼ିଆ ଭକ୍ତଙ୍କ ସେବା, ପାଦ ଧୋଇ ଜଣାଇଲେ ଶ୍ରଦ୍ଧା
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 9, 202683 views

ଭକ୍ତି ଓ ସେବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ଛକ ନିକଟରେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାଉଡ଼ିଆ ଭକ୍ତମାନଙ୍କ ସେବାରେ ନିଜକୁ ସାମିଲ କରିଛନ୍ତି ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଆଜି ବହୁ ସଂଖ୍ୟାରେ କାଉଡ଼ିଆ ଭକ୍ତମାନେ ପବିତ୍ର ଜଳଭାର ଧରି ବାବା ଆଖଣ୍ଡଳମଣିଙ୍କ ପୀଠ ଅଭିମୁଖେ ଯାତ୍ରା କରୁଥିବା ସମୟରେ କୋଠାର ଛକ ନିକଟରେ ମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଥିଲେ। କାଉଡ଼ିଆ ଭକ୍ତମାନଙ୍କୁ ଡାକି ନିଜେ ସେମାନଙ୍କ ପାଦ ଧୋଇ ଦେଇ ସେବା କରିବା ସହ ସେମାନଙ୍କ ଯାତ୍ରା ଶୁଭ ଓ ସୁରକ୍ଷିତ ହେଉ ବୋଲି କାମନା କରିଥିଲେ।
ମନ୍ତ୍ରୀଙ୍କ ଏହି ସେବା ଓ ଭକ୍ତିଭାବ କାଉଡ଼ିଆ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆନନ୍ଦ ସୃଷ୍ଟି କରିଥିଲା। ଶ୍ରାବଣ ମାସରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କ ସେବା କରିବା ଏକ ପୁଣ୍ୟକାର୍ଯ୍ୟ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।
ଏହି ସେବା କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର କର୍ମୀ ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଯୋଗଦେଇ କାଉଡ଼ିଆ ଭକ୍ତମାନଙ୍କ ସେବାରେ ସହଯୋଗ କରିଥିଲେ। ଭକ୍ତମାନଙ୍କ ପାଇଁ ଆବଶ୍ୟକ ସେବା ଓ ସୁବିଧା ଯୋଗାଇବାରେ ସ୍ଥାନୀୟ ଲୋକମାନେ ମଧ୍ୟ ସକ୍ରିୟ ଭାବେ ସାମିଲ ହୋଇଥିଲେ।
ମନ୍ତ୍ରୀଙ୍କ ଏଭଳି ଭକ୍ତିପୂର୍ଣ୍ଣ ସେବାକୁ ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଖୁସି ପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଫୁଲତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ କୋଠାର ଛକ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
କାଉଡ଼ିଆ ଭକ୍ତମାନଙ୍କ ସେବା ଓ ଆତିଥ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ହେବା ସହ ଭକ୍ତି, ସେବା ଓ ମାନବିକତାର ଏହି ଦୃଶ୍ୟ ଉପସ୍ଥିତ ଲୋକଙ୍କ ମନ ଜିଣିଥିଲା।
