ସରକାରୀ ହୋର୍ଡିଂରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋରେ କାଳି ବୋଳିବା ଅଭିଯୋଗ ରାଜକନିକା ଥାନାରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଏତଲା, ମାମଲା ରୁଜୁ କରି ତଦନ୍ତ ଆରମ୍ଭ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲ୍ଲୀପ ପରିଡାAugust 9, 202626 views

ରାଜକନିକା,: ସରକାରୀ ହୋର୍ଡିଂରେ ଲାଗିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଉପରେ କାଳି ବୋଳିବା, ଷ୍ଟିକର ଲଗାଇବା ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗକୁ ନେଇ ରାଜକନିକା ଥାନାରେ ଭାଜପା ପକ୍ଷରୁ ଲିଖିତ ଏତଲା ଦିଆଯାଇଛି। ଏହି ଘଟଣାକୁ ନେଇ ରାଜକନିକା ଅଞ୍ଚଳରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ରାଜକନିକା ଭାଜପା ସଦର ମଣ୍ଡଳର ୨୮ ନମ୍ବର ଜୋନ୍ ସଭାପତି ପ୍ରକାଶ ନାୟକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ରାଜକନିକା ବ୍ଲକ୍ ଅନ୍ତର୍ଗତ ଓଳାଭର ତାରିଣୀ ଛକଠାରେ ଏହି ଘଟଣା ଘଟିଥିଲା।
ଅଭିଯୋଗ ଅନୁସାରେ, ସେଠାରେ ଥିବା ସରକାରୀ ବିଜ୍ଞାପନ ହୋର୍ଡିଂରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିଲା। କେତେଜଣ ଦୁର୍ବୃତ୍ତ ହୋର୍ଡିଂରେ ଷ୍ଟିକର ଲଗାଇବା ସହ ଫଟୋ ଉପରେ କାଳି ବୋଳିଥିବା ଏବଂ ବିଦ୍ରୁପ ଚିତ୍ର ଲଗାଇଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ମଧ୍ୟ ଏତଲାରେ ଦର୍ଶାଯାଇଛି।
ଏଭଳି କାର୍ଯ୍ୟ ଦ୍ୱାରା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ସହ ଭାଜପାର ସମ୍ମାନହାନି ହୋଇଥିବା ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାଜପା ପକ୍ଷରୁ ଦାବି କରାଯାଇଛି।
ଅଭିଯୋଗ ଆଧାରରେ ରାଜକନିକା ଥାନାରେ ମାମଲା ନମ୍ବର ୫୪୦/୨୬ ରୁଜୁ ହୋଇଥିବା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହୋର୍ଡିଂରେ କାଳି ବୋଳିବା ଓ ଷ୍ଟିକର ଲଗାଇବା ପଛରେ କିଏ ରହିଛି, ସେନେଇ ଖୋଳତାଡ଼ ଜାରି ରହିଛି।
