ଆଗରପଡ଼ା ଶିଶୁ ମନ୍ଦିର ପରିସରରେ ସାପ କାମୁଡ଼ାରେ ୧୧ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ
Bhadrak (ଭଦ୍ରକ)ରିପୋର୍ଟ: ଶିଶିର କୁମାର ସ୍ୱାଇଁAugust 8, 202671 views

ଆଗରପଡ଼ା: ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଆଗରପଡ଼ା ଶିଶୁ ମନ୍ଦିର ପରିସରରେ ସାପ କାମୁଡ଼ାରେ ଜଣେ ୧୧ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ପୁଲୋଖିତ ଭଞ୍ଜଦେଓ। ତାଙ୍କ ବାପାଙ୍କ ନାମ ଅଜୟ ଭଞ୍ଜଦେଓ।
ସୂଚନା ଅନୁଯାୟୀ, ପୁଲୋଖିତଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ସେ ଆଗରପଡ଼ାରେ ତାଙ୍କ ମାମୁଁ ଘରେ ରହି ପାଠ ପଢ଼ୁଥିଲେ। ଘଟଣା ଦିନ ଖାଇବା ଛୁଟି ସମୟରେ ସେ ଖାଉଥିବା ବେଳେ ଏକ ସାପ କାମୁଡ଼ିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ସାପ କାମୁଡ଼ିବା ପରେ ଛାତ୍ରଙ୍କୁ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
ଏହି ଘଟଣା ପରେ ଆଗରପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ୧୧ ବର୍ଷୀୟ କୁନି ଛାତ୍ରଙ୍କ ଅକାଳ ମୃତ୍ୟୁରେ ପରିବାର, ସହପାଠୀ ଓ ସ୍ଥାନୀୟ ଲୋକେ ମର୍ମାହତ ହୋଇଛନ୍ତି।
