ଧର୍ମଶାଳା ବିଧାୟକଙ୍କ ସମର୍ଥକଙ୍କ ଆତଙ୍କରାଜ ବନ୍ଦ ଦାବି: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଭିନ୍ନ ଗଣସଂଗଠନ
Jajpur (ଯାଜପୁର)ଅନିଲ କୁମାର ଜେନାAugust 8, 202627 views

ଯାଜପୁରରୋଡ଼: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ ସମର୍ଥକଙ୍କ ପକ୍ଷରୁ କଥିତ ଭାବେ ଚାଲିଥିବା ଆତଙ୍କରାଜ ଓ ତାନାସାହି ଶାସନ ବନ୍ଦ କରିବା ସହ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ବିଭିନ୍ନ ଗଣସଂଗଠନ। ଏନେଇ ଶନିବାର ଯାଜପୁରରୋଡ଼ସ୍ଥିତ ହୋଟେଲ ରୟାଲ କଳିଙ୍ଗରେ ସିଭିଲ ସୋସାଇଟି ଫୋରମ, ଯାଜପୁରର ଆହ୍ୱାନକ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ସଂଘର ସମ୍ପାଦକ ବିଶ୍ୱନାଥ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ବ୍ୟାସନଗରର ପୂର୍ବତନ କାଉନସିଲର ତଥା ବିଜେପି ନେତା ପ୍ରସନ୍ନ ସାମଲ (ବାବୁଲି), ସିଆଇଟିୟୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଯାଜପୁର ଜିଲ୍ଲା ଏସ୍ସି-ଏସ୍ଟି ସଂଘର ସମ୍ପାଦକ ବଳରାମ କାଣ୍ଡି, ଜହ୍ନା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ କ୍ଷୀରଦ କୁମାର ଦାସ, ବିସ୍ଥାପନ ବିରୋଧୀ ଜନମଞ୍ଚ, କଳିଙ୍ଗନଗରର ସୁରେନ୍ଦ୍ର ହାଇବ୍ରୁ, ସିପିଆଇ ନେତା ଆଲୋକ ମହାନ୍ତି, ପ୍ରତାପ ଦାସ, ସହଦେବ ଜେନାଙ୍କ ସମେତ ବିଭିନ୍ନ ଗଣସଂଗଠନର ନେତୃବୃନ୍ଦ ଯୋଗଦେଇଥିଲେ।
ସମ୍ମିଳନୀରେ ବକ୍ତାମାନେ କହିଥିଲେ ଯେ, ଚଳିତ ବନ୍ୟା ସମୟରେ ଧର୍ମଶାଳା ଅଞ୍ଚଳରେ ସହଯୋଗ ଓ ସହାୟତା କାର୍ଯ୍ୟ କରୁଥିବା ରାକେଶ କୁମାର ନାୟକ (ରକି)ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ପାଲଟା ଅଭିଯୋଗ ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ।
ଆଇନଗତ ପରାମର୍ଶ ନେବା ପାଇଁ ରାକେଶ ଗତ ୬ ତାରିଖରେ ଯାଜପୁରରୋଡ଼ ଆସିଥିବା ବେଳେ ତାଙ୍କ ମାମୁଙ୍କ ଗାଡ଼ିରେ ସାପଗାଡ଼ିଆ ରାସ୍ତା ଦେଇ ଯାଉଥିବା ସମୟରେ କେତେକ ବ୍ୟକ୍ତି ଗାଡ଼ି ଅଟକାଇ ତାଙ୍କୁ ଅପହରଣ କରିନେବାକୁ ଉଦ୍ୟମ କରିଥିବା ସମ୍ମିଳନୀରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାକୁ ନେଇ ଯାଜପୁରରୋଡ଼ ଅଞ୍ଚଳରେ ଅଶାନ୍ତିର ପରିବେଶ ସୃଷ୍ଟି ହେଉଥିବା ନେଇ ଗଣସଂଗଠନଗୁଡ଼ିକ ଉଦ୍ବେଗ ପ୍ରକାଶ କରିଥିଲେ।
ସଚେତନ ନାଗରିକ ମଞ୍ଚର ଆହ୍ୱାନକ୍ରମେ ଗଠିତ ଶାନ୍ତି କମିଟିର ନିଷ୍ପତ୍ତିକୁ ସମର୍ଥନ ଜଣାଇ ଯାଜପୁରରୋଡ଼ରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ଗଣସଂଗଠନଗୁଡ଼ିକ ଆହ୍ୱାନ ଦେଇଥିଲେ। ଏଥିସହ ଘଟଣାର ନିରପେକ୍ଷ ତଦନ୍ତ କରିବା, ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଅଞ୍ଚଳରେ କଥିତ ଆତଙ୍କରାଜ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଦାବି କରାଯାଇଥିଲା।
