ସଡ଼କ ସୁରକ୍ଷାକୁ ଗୁରୁତ୍ୱ: ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ଏଣିକି ଡିଜିଟାଲ ନଜର
Bargarh (ବରଗଡ଼)ବଂଶୀଧର ନାୟକAugust 8, 202642 views

ସଡ଼କ ଦୁର୍ଘଟଣା ହ୍ରାସ ସହ ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟ୍ରାଫିକ ନିୟମ ପାଳନ ଉପରେ କଡ଼ା ନଜର ରଖାଯିବ। ଏନେଇ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ ଜନସାଧାରଣଙ୍କୁ ସଚେତନ କରିବା ସହ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଦେଇଛନ୍ତି।
ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ଆଦେଶ ସଂଖ୍ୟା ୧୪୦୮୬, ତାରିଖ ୦୩/୦୮/୨୦୨୬ ଅନୁଯାୟୀ ରାଜ୍ୟର ୯ଟି ନିର୍ଦ୍ଦିଷ୍ଟ ଜାତୀୟ ଓ ରାଜ୍ୟ ରାଜପଥରେ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମ୍ଏସ୍) ମାଧ୍ୟମରେ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରାଯାଇଛି।
ଏହି ବ୍ୟବସ୍ଥା ଅଧୀନରେ ବରଗଡ଼ ଜିଲ୍ଲାର ରାଜ୍ୟ ରାଜପଥ ନମ୍ବର-୦୩ର ସୋହେଲାଠାରୁ ମାଣ୍ଡସିଲ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ଡିଜିଟାଲ ମାଧ୍ୟମରେ ନଜର ରଖାଯିବ। ନିୟମ ଉଲ୍ଲଂଘନ ହେଲେ ଯାନର ଫଟୋ କିମ୍ବା ଭିଡିଓ ପ୍ରମାଣ ସହିତ ଘଟଣାସ୍ଥଳ, ତାରିଖ, ସମୟ ଓ ଯାନର ବେଗ ଭଳି ତଥ୍ୟ ରେକର୍ଡ ହୋଇ ଇ-ଚାଲାଣ ଜାରି କରାଯିବ।
ବିଶେଷକରି ନିର୍ଦ୍ଧାରିତ ବେଗସୀମା ଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ଚାଳକଙ୍କ ବ୍ୟତୀତ ଏକାଧିକ ପିଲିଅନ୍ ଯାତ୍ରୀଙ୍କୁ ବସାଇବା, ଚାଳକ କିମ୍ବା ପିଲିଅନ୍ ଯାତ୍ରୀ ହେଲ୍ମେଟ୍ ନ ପିନ୍ଧିବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା ଏବଂ ଟ୍ରାଫିକର ଅନୁମୋଦିତ ପ୍ରବାହ ବିପରୀତ ଦିଗରେ ଯାତାୟାତ କରିବା ଭଳି ଉଲ୍ଲଂଘନ ଚିହ୍ନଟ କରାଯିବ।
ତେଣୁ ଗାଡ଼ି ଚଳାଇବା ସମୟରେ ନିର୍ଦ୍ଧାରିତ ବେଗସୀମା ପାଳନ କରିବା, ଦୁଇଚକିଆ ଯାନରେ ଚାଳକ ଓ ପିଲିଅନ୍ ଯାତ୍ରୀ ହେଲ୍ମେଟ୍ ପିନ୍ଧିବା, ଅନୁମୋଦିତ ଦିଗରେ ଯାତାୟାତ କରିବା ସହ ସମସ୍ତ ଟ୍ରାଫିକ ନିୟମ ପାଳନ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଆରଟିଓଙ୍କ କହିବା ଅନୁଯାୟୀ, ଏହି ଡିଜିଟାଲ ଏନ୍ଫୋର୍ସମେଣ୍ଟ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ କେବଳ ଇ-ଚାଲାଣ ଜାରି କରିବା ନୁହେଁ। ବରଂ ଲୋକଙ୍କ ମଧ୍ୟରେ ଟ୍ରାଫିକ ନିୟମ ପ୍ରତି ସଚେତନତା ବୃଦ୍ଧି କରିବା, ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ଜନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏହାର ପ୍ରମୁଖ ଲକ୍ଷ୍ୟ।
