ଆଠମଲ୍ଲିକରେ ୭.୧୯ କୋଟିର ପ୍ରକଳ୍ପ ଲୋକାର୍ପଣ କଲେ ମନ୍ତ୍ରୀ ରବି ନାରାୟଣ ନାଏକ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 8, 202673 views

ଅନୁଗୋଳ: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏକଦିନିଆ ଅନୁଗୋଳ ଗସ୍ତରେ ଆସି ଆଠମଲ୍ଲିକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଗସ୍ତ ଆରମ୍ଭରେ ସେ ଆଠମଲ୍ଲିକର ରାଜା ସ୍ୱର୍ଗତ ପ୍ରଦୀପ ଚନ୍ଦ୍ର ଦେଓଙ୍କ ଦ୍ୱାଦଶ କର୍ମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ ଉପସ୍ଥିତ ଥିଲେ।
ପଦ୍ମପୋଖରୀ ଠାରେ ଏମ୍ସିଏଲ୍ର ସିଏସ୍ଆର୍ ପାଣ୍ଠିରୁ ୭.୧୯ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜନହିତକର ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିରେ ନୂତନ ରାସ୍ତା, ଆଲୋକୀକରଣ ଓ ଦୁର୍ଗା ମନ୍ଦିର ପୁନରୁଦ୍ଧାର ଭଳି କାର୍ଯ୍ୟ ସାମିଲ ରହିଛି।
ଏହାସହିତ ‘ମା’ ପାଇଁ ଗଛଟିଏ’ ଅଭିଯାନରେ ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ। ଆଠମଲ୍ଲିକ ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଅଭିଯୋଗ ଶୁଣାଣିରେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
