ଚମ୍ପାଗଡ ପଞ୍ଚାୟତରେ ରାସନ ବଣ୍ଟନରେ ଅନିୟମିତତା ଅଭିଯୋଗ ହିତାଧିକାରୀଙ୍କୁ ରସିଦ ମିଳୁନି, ଓଜନରେ ହେରଫେର ଅଭିଯୋଗ; ନିରପେକ୍ଷ ତଦନ୍ତ ଦାବି
Nayagarh (ନୟାଗଡ଼)ନିରଂଜନ ମହାପାତ୍ରAugust 8, 202613 views

ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ମାଧ୍ୟମରେ ରାସନ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିଛି। ସରକାରଙ୍କ ପକ୍ଷରୁ ଯୋଗ୍ୟ ଖାଉଟି କାର୍ଡଧାରୀଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଥିବାବେଳେ, ଚମ୍ପାଗଡ ପଞ୍ଚାୟତର PEOଙ୍କ ନାମରେ ଥିବା ରାସନ ଯୋଗାଣ କେନ୍ଦ୍ରରେ ନିୟମ ଅନୁଯାୟୀ ବଣ୍ଟନ ହେଉନଥିବା ନେଇ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।
ପଞ୍ଚାୟତ ପରିସରରେ ରାସନ ବଣ୍ଟନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ହିତାଧିକାରୀଙ୍କୁ ରାସନ ନେବା ସମୟରେ ରସିଦ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ରସିଦ ମାଗିଲେ ମଧ୍ୟ ତାହା ଦିଆଯାଉନଥିବା ନେଇ କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି।
ଏହାସହ ରାସନ ବଣ୍ଟନ ସମୟରେ ଓଜନରେ ମଧ୍ୟ ହେରଫେର କରାଯାଉଥିବା ଅଭିଯୋଗ ରହିଛି। ଓଜନ କଣ୍ଟା ଉପରେ ନିର୍ଦ୍ଦିଷ୍ଟ ଓଜନର ବଟକରା ରଖି ରାସନ ଦିଆଯାଉଥିବାରୁ ହିତାଧିକାରୀମାନେ ନିଜ ହକ୍ର ରାସନରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ସରକାରଙ୍କ ପକ୍ଷରୁ Smart PDS ବ୍ୟବସ୍ଥା ଲାଗୁ କରାଯାଇଥିଲେ ମଧ୍ୟ ଏହାର ସୁଫଳ ଚମ୍ପାଗଡ ପଞ୍ଚାୟତରେ ହିତାଧିକାରୀମାନେ ସଠିକ୍ ଭାବେ ପାଉନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ରାସନ ବଣ୍ଟନ କାର୍ଯ୍ୟରେ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। ସେ ଏକ ରାଜନୈତିକ ଦଳର ସକ୍ରିୟ କର୍ମୀ ବୋଲି ଅଭିଯୋଗ ହେଉଥିବାବେଳେ, ତାଙ୍କୁ ରାସନ ବଣ୍ଟନ ଭଳି ସରକାରୀ ବ୍ୟବସ୍ଥାରେ କେଉଁ ଆଧାରରେ ନିୟୋଜିତ କରାଯାଇଛି, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

