ପଚପଚ କାଦୁଅରେ ଜୟପାଟଣାର ସାହୁପଡ଼ା ଓ ମାଲିପଡ଼ା, ଡ୍ରେନ୍ ସମସ୍ୟାରେ ହନ୍ତସନ୍ତ ଅଞ୍ଚଳବାସୀ
Kalahandi (କଳାହାଣ୍ଡି)ଜୟପାଟଣା, ରିତେଶ କୁମାର ମୁଣ୍ଡAugust 7, 202619 views

ଜୟପାଟଣା ସହରର ସାହୁପଡ଼ା ଓ ମାଲିପଡ଼ା ଅଞ୍ଚଳରେ ଡ୍ରେନ୍ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ବର୍ଷା ଦିନରେ ଲୋକଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ମଧ୍ୟ ଡ୍ରେନ୍ରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ରାସ୍ତା ଉପରେ କାଦୁଅ ଓ ମଇଳା ପାଣି ଜମି ରହୁଛି। ଫଳରେ ଅଞ୍ଚଳବାସୀ ପଚପଚ କାଦୁଅ ମଧ୍ୟରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ। ବିଶେଷ କରି ଛୋଟ ପିଲା, ବୃଦ୍ଧ ଓ କର୍ମଜୀବୀ ଲୋକମାନେ ପ୍ରତିଦିନ ଏହି କାଦୁଅ ରାସ୍ତା ଦେଇ ଯିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଲୋକେ ପଡ଼ିଯିବାର ଆଶଙ୍କା ମଧ୍ୟ ରହୁଛି।
ଏହାସହ ରାସ୍ତାରେ ଜମି ରହୁଥିବା ଅପରିଷ୍କାର ପାଣି ଯୋଗୁଁ ମଶାର ପ୍ରକୋପ ବୃଦ୍ଧି ପାଇବା ସହ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଭୟ ମଧ୍ୟ ଦେଖାଦେଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।
ସାହୁପଡ଼ା ଓ ମାଲିପଡ଼ାବାସୀ ପ୍ରଶାସନଙ୍କୁ ତୁରନ୍ତ ଡ୍ରେନ୍ ସଫେଇ, ନିୟମିତ ପାଣି ନିଷ୍କାସନ ବ୍ୟବସ୍ଥା ଏବଂ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ପ୍ରଶାସନ ଏହି ଦୀର୍ଘଦିନର ସମସ୍ୟା ପ୍ରତି କେବେ ଦୃଷ୍ଟି ଦେଉଛି, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
