--:--:--
-- ---
Srishti News

ପେଣ୍ଡ୍ରାୱାନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

Nuapada (ନୂଆପଡ଼ା)ରିପୋର୍ଟ: ଗିରେନ୍ଦ୍ର କୁମାର ଜଗତ, କୋମନାAugust 7, 202623 views
ପେଣ୍ଡ୍ରାୱାନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡ୍ରାୱାନ ଅଙ୍ଗନୱାଡ଼ି କେନ୍ଦ୍ରରେ ସମନ୍ୱିତ ଶିଶୁ ବିକାଶ ସେବା (ICDS), କୋମନା ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ଗର୍ଭବତୀ ମହିଳା, ପ୍ରସୂତି ମାତା, କିଶୋରୀ ଓ ଅଭିଭାବକମାନଙ୍କୁ ସ୍ତନ୍ୟପାନର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ଓ ICDS କର୍ମଚାରୀମାନେ ଜନ୍ମ ପରେ ପ୍ରଥମ ଘଣ୍ଟା ମଧ୍ୟରେ ଶିଶୁକୁ ମା'ର ପ୍ରଥମ ହଳଦିଆ କ୍ଷୀର (କୋଲୋଷ୍ଟ୍ରମ୍) ପିଆଇବା, ଜନ୍ମରୁ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ମା'ର କ୍ଷୀର ଦେବା ଏବଂ ଛଅ ମାସ ପରେ ପୂରକ ଖାଦ୍ୟ ସହିତ ଦୁଇ ବର୍ଷ କିମ୍ବା ତା'ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମା'ର କ୍ଷୀରର ଗୁରୁତ୍ୱ ସମ୍ପର୍କରେ ସମାଜକୁ ସଚେତନ କରିବା ଏବଂ ଶିଶୁଙ୍କ ସୁସ୍ଥ ବୃଦ୍ଧି ଓ ବିକାଶ ପାଇଁ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା। ମା'ର କ୍ଷୀର ଶିଶୁ ପାଇଁ ସମ୍ପୂର୍ଣ୍ଣ, ସୁରକ୍ଷିତ ଓ ପୌଷ୍ଟିକ ଖାଦ୍ୟ ହୋଇଥିବାବେଳେ ଏହା ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ। ସେହିପରି ମାତୃ ସ୍ୱାସ୍ଥ୍ୟ ସୁରକ୍ଷାରେ ମଧ୍ୟ ସ୍ତନ୍ୟପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନେ ସ୍ତନ୍ୟପାନର ଉପକାରିତା ସମ୍ପର୍କରେ ଅବଗତ ହେବା ସହ ସୁସ୍ଥ ମା' ଓ ସୁସ୍ଥ ଶିଶୁ ଗଠନ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ICDS କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସକ୍ରିୟ ସହଯୋଗ କରିଥିଲେ।