ଦେଶର ଜାଗ୍ରତ ପ୍ରହରୀ BSF ଯବାନ ଦିଲ୍ଲୀପ କୁମାର ମହାନ୍ତି ଆଉ ନାହାନ୍ତି
Jajpur (ଯାଜପୁର)ଯାଜପୁର ରୋଡରୁ ପ୍ରଦୀପ କୁମାର ପୃଷ୍ଟିAugust 7, 202646 views

ଯାଜପୁର ରୋଡ ଅଞ୍ଚଳର ବିଏସଏଫ (BSF) ଯବାନ ଦିଲ୍ଲୀପ କୁମାର ମହାନ୍ତିଙ୍କ ପରଲୋକ ଘଟିଛି। ସେ ଯାଜପୁର ରୋଡ ନିକଟସ୍ଥ ରମ୍ପାସ ଗ୍ରାମର ବାସିନ୍ଦା ଏବଂ ଘନଶ୍ୟାମ ମହାନ୍ତିଙ୍କ ପୁତ୍ର ଥିଲେ।
ଦେଶସେବା ପ୍ରତି ତାଙ୍କର ଅଦମ୍ୟ ଇଚ୍ଛା ତାଙ୍କୁ ଭାରତୀୟ ସୀମା ସୁରକ୍ଷା ବଳ (BSF)ରେ କନେଷ୍ଟବଳ ଭାବେ ଯୋଗଦେବାକୁ ପ୍ରେରିତ କରିଥିଲା। ସେ ବର୍ତ୍ତମାନ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ବାଂଲାଦେଶ ସୀମାରେ କାର୍ଯ୍ୟରତ ଥିଲେ।
ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି।
ତାଙ୍କର ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ସମ୍ମାନର ସହ ନିଜ ବାସଭବନକୁ ଅଣାଯାଇଥିଲା। ପରେ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶେଷ ବିଦାୟ ସମୟରେ ଉପସ୍ଥିତ ଲୋକମାନେ "ଭାରତ ମାତା କି ଜୟ" ଏବଂ "ଦିଲ୍ଲୀପ ଭାଇ ଅମର ରହେ" ସ୍ଲୋଗାନରେ ପରିବେଶକୁ ପ୍ରକମ୍ପିତ କରିଥିଲେ

