--:--:--
-- ---
Srishti News

ବିଶ୍ୱ ସ୍ତନ୍ୟପାନ ସପ୍ତାହରେ କଣ୍ଟାବାଞ୍ଜି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ସରସ୍ୱତୀ ନର୍ସିଂ କଲେଜ ପକ୍ଷରୁ ମାତୃ-ଶିଶୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ; ୨୫୦ରୁ ଅଧିକ ଲୋକଙ୍କ ସହଭାଗିତା

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରାAugust 6, 202645 views
ବିଶ୍ୱ ସ୍ତନ୍ୟପାନ ସପ୍ତାହରେ କଣ୍ଟାବାଞ୍ଜି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା  ସରସ୍ୱତୀ ନର୍ସିଂ କଲେଜ ପକ୍ଷରୁ ମାତୃ-ଶିଶୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ; ୨୫୦ରୁ ଅଧିକ ଲୋକଙ୍କ ସହଭାଗିତା
ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଭବାନୀପାଟଣାସ୍ଥିତ ସରସ୍ୱତୀ ନର୍ସିଂ କଲେଜ ପକ୍ଷରୁ କୋକସରା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜି ଗ୍ରାମରେ ଏକ ବ୍ୟାପକ ସମୁଦାୟଭିତ୍ତିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ସହ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ନର୍ସିଂ କଲେଜର ଛାତ୍ରଛାତ୍ରୀମାନେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, ଗ୍ରାମବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜନ୍ମର ପ୍ରଥମ ଘଣ୍ଟାରେ ସ୍ତନ୍ୟପାନ ଆରମ୍ଭ କରିବା, ଶିଶୁର ପ୍ରଥମ ଛଅ ମାସ କେବଳ ମା’ର କ୍ଷୀର ପ୍ରଦାନ କରିବା ଏବଂ ସଠିକ୍ ପୋଷଣର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ସଚେତନ କରିଥିଲେ। ଭୂମିକା ଅଭିନୟ, ସ୍ୱାସ୍ଥ୍ୟ ବାର୍ତ୍ତା ଓ ଆଲୋଚନା ମାଧ୍ୟମରେ ସ୍ତନ୍ୟପାନର ବହୁମୁଖୀ ଉପକାରିତାକୁ ସରଳ ଓ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଏଏନଏମ୍‌, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ପ୍ରାୟ ୨୦୦ରୁ ୨୫୦ ଜଣ ଗ୍ରାମବାସୀ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସରସ୍ୱତୀ ନର୍ସିଂ କଲେଜର ଚେୟାରମ୍ୟାନ ଡା. ସୁଧାଂଶୁ ଶେଖର ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ଦେବପ୍ରିୟା ଦାଶ, ଲିଲେଶ ସାହୁ, ଉତ୍ତମ ସାହୁ, ବିନ୍ଦିଆ ରାଜଗୁରୁ, କେଶବ ହିଆଲ, ତୁଷାର ଟାଣ୍ଡି, କଲ୍ୟାଣୀ ସାହୁ, ପାୟଲ ସୁନା ଓ ଜ୍ୟୋତିର୍ମୟୀ ବାଘଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଉପସ୍ଥିତ ଅତିଥି ଓ ଗ୍ରାମବାସୀମାନେ କହିଥିଲେ ଯେ, ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବୃଦ୍ଧି ଦିଗରେ ସରସ୍ୱତୀ ନର୍ସିଂ କଲେଜର ଏଭଳି ସମୁଦାୟ ସେବାମୂଳକ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସହ ସମାଜ ପ୍ରତି ଶିକ୍ଷାନୁଷ୍ଠାନର ଦାୟିତ୍ୱବୋଧ ଓ ସେବାଭାବର ଏକ ସୁନ୍ଦର ବାର୍ତ୍ତା ପହଞ୍ଚିଥିବା ମତ ପ୍ରକାଶ ପାଇଛି।