--:--:--
-- ---
Srishti News

ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ମାଡ଼ିବସିଲା ବନ ବିଭାଗ: ବାଘ ଛାଲ ସହ ୧ ଦାନ୍ତ ଓ ୧୪ ନଖ ଜବତ, ଝାଡ଼ଖଣ୍ଡର ଜଣେ ଗିରଫ

Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, କୋକସରାAugust 6, 202679 views
ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ମାଡ଼ିବସିଲା ବନ ବିଭାଗ:  ବାଘ ଛାଲ ସହ ୧ ଦାନ୍ତ ଓ ୧୪ ନଖ ଜବତ, ଝାଡ଼ଖଣ୍ଡର ଜଣେ ଗିରଫ
କୋକସରା/ଧର୍ମଗଡ଼: ବନ୍ୟଜନ୍ତୁ ଚୋରାକାରବାର ବିରୋଧରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡକୁ ଏକ ବଡ଼ ସଫଳତା ମିଳିଛି। ବାଘ ଛାଲ ବିକ୍ରି ଉଦ୍ୟମ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନାଞ୍ଚଳ ଅଧୀନ ବେହେରା ଫରେଷ୍ଟ ସେକ୍ସନର କର୍ମଚାରୀମାନେ ଜଣେ ଅଭିଯୁକ୍ତଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ଏକ ବାଘ ଛାଲ, ଗୋଟିଏ ବାଘ ଦାନ୍ତ ଓ ୧୪ଟି ବାଘ ନଖ ଜବତ କରିଛନ୍ତି। ସୂଚନା ଅନୁଯାୟୀ, କୋକସରା ବ୍ଲକ ଅନ୍ତର୍ଗତ ଡ଼ହଗାଁ ନିକଟରେ ଜଣେ ବ୍ୟକ୍ତି ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ବେହେରା ଫରେଷ୍ଟ କର୍ମଚାରୀଙ୍କୁ ଖବର ଦେଇଥିଲେ। ସୂଚନା ପାଇ କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ସହକାରୀ ବନ ସଂରକ୍ଷକ (ଏସିଏଫ୍‌)ଙ୍କ ତତ୍ତ୍ୱାବଧାନରେ ଧର୍ମଗଡ଼ ରେଞ୍ଜ ଅଧିକାରୀ ସୀମାଞ୍ଚଳ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଚଢ଼ାଉ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲା। ଗିରଫ ଅଭିଯୁକ୍ତ ହେଲେ ସୁକେନ୍ ଗୌଡ଼, ଯିଏକି ମୂଳତଃ ଝାଡ଼ଖଣ୍ଡର ବାସିନ୍ଦା। ତେବେ ସେ ଦୀର୍ଘ ବର୍ଷ ଧରି ନବରଙ୍ଗପୁର ଜିଲ୍ଲାର ହିର୍ଲିଡଙ୍ଗର ଅଞ୍ଚଳରେ ରହୁଥିବା ଜଣାପଡ଼ିଛି। ତାଙ୍କ ନିକଟରୁ ଏକ ବାଘ ଛାଲ, ଗୋଟିଏ ବାଘ ଦାନ୍ତ ଏବଂ ୧୪ଟି ବାଘ ନଖ ଜବତ କରାଯାଇଛି। ପରେ ତାଙ୍କୁ ଧର୍ମଗଡ଼ ବନ ବିଭାଗ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଇଥିଲା। ଏହି ଚଢ଼ାଉରେ ବେହେରା ଫରେଷ୍ଟର କ୍ଷୀରୋଦ ଚନ୍ଦ୍ର ସେଠ, ବନରକ୍ଷୀ ଲଳିତ ନାଏକ ଓ ପ୍ରଭାସିନୀ ଗୋପାଳ, ପାରାଷ୍ଟାଫ କ୍ଷତ୍ରିଅ ନାଏକ ଓ ମାନସ ସା ପ୍ରମୁଖ ସାମିଲ ଥିଲେ। ଗୁରୁବାର ଅଭିଯୁକ୍ତଙ୍କୁ କୋକସରା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବା ପରେ ନ୍ୟାୟିକ ହେପାଜତକୁ ପଠାଯାଇଛି। ବାଘ ଛାଲ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ କେଉଁଠାରୁ ଆସିଲା ଏବଂ ଏହା ପଛରେ କୌଣସି ବଡ଼ ଚୋରାକାରବାରୀ ଚକ୍ର ସକ୍ରିୟ ରହିଛି କି ନାହିଁ, ସେନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।