ଅଳ୍ପ ବର୍ଷାରେ ମଝି ରାସ୍ତାରେ ଜମୁଛି କାଦୁଅ ପାଣି
Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡAugust 6, 202653 views

କୋକସରା,
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡାଳଗୁମା ଗ୍ରାମରେ ବରଗଛ ଛକ ନିକଟରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ କାଦୁଅ ପାଣି ଜମି ରହୁଥିବାରୁ ଗ୍ରାମବାସୀଙ୍କ ଯାତାୟାତରେ ନାନା ସମସ୍ୟା ସୃଷ୍ଟି ହେଉଛି। ଡ୍ରେନେଜ ବ୍ୟବସ୍ଥା ଠିକ୍ ଭାବରେ ସଫା ନହେବା ଓ ବର୍ଷା ପାଣି ନିଷ୍କାସନ ପାଇଁ ସୁବ୍ୟବସ୍ଥିତ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ପାଣି ଜମି ରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।
ଗ୍ରାମର ଉକ୍ତ ରାସ୍ତା ଦେଇ ପ୍ରତିଦିନ ଅନେକ ଲୋକ ଯାତାୟାତ କରୁଥିବା ବେଳେ ସ୍କୁଲକୁ ପାଠ ପଢ଼ିବା ପାଇଁ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ବର୍ଷା ହେବା ପରେ ରାସ୍ତାରେ ପାଣି ଓ କାଦୁଅ ଜମି ରହୁଥିବାରୁ ପିଲାମାନଙ୍କୁ କାଦୁଅ ପାଣି ଭିତରେ ଯିବାକୁ ପଡ଼ୁଛି।
ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ, ଡାଳଗୁମା ପଞ୍ଚାୟତରେ ହଜାର ହଜାର ଟଙ୍କା ମାଶ କ୍ଲିନିଙ୍ଗ ରେ ଖର୍ଚ୍ଚ ହେଉଥିବା ବେଳେ ଗ୍ରାମର ଡ୍ରେନେଜଗୁଡ଼ିକ ନିୟମିତ ଭାବେ ସଫା ହେଉନାହିଁ। ଡ୍ରେନଗୁଡ଼ିକରେ ମାଟି, ଅଳିଆ-ଆବର୍ଜନା ଓ କାଦୁଅ ଜମି ରହୁଥିବାରୁ ବର୍ଷା ପାଣି ସହଜରେ ନିଷ୍କାସିତ ହୋଇପାରୁନାହିଁ। ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ରାସ୍ତା ଉପରକୁ ଉଠିଆସୁଥିବା ଏବଂ ଦୀର୍ଘ ସମୟ ଧରୀ ଜମି ରହୁଥିବା ଦେଖିବାକୁ ମିଲୁଛି
ଗ୍ରାମବାସୀଙ୍କ ଅଭିଯୋଗ ଏହି ସମସ୍ୟା କେବଳ ବର୍ଷା ଦିନରେ ଯାତାୟାତକୁ ପ୍ରଭାବିତ କରୁନାହିଁ, ବରଂ ଅଞ୍ଚଳର ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଉଛି। ରାସ୍ତା ଉପରେ ଦୀର୍ଘ ସମୟ ଧରି ଅପରିଷ୍କାର ପାଣି ଜମି ରହିଲେ ଦୁର୍ଗନ୍ଧ ସୃଷ୍ଟି ହେବା ସହ ମଶା ଓ ବିଭିନ୍ନ ରୋଗବାହୀ କୀଟପତଙ୍ଗ ବଢ଼ିବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଡ୍ରେନେଜ ବ୍ୟବସ୍ଥାର ତୁରନ୍ତ ସଫେଇ ଓ ମରାମତି ଆବଶ୍ୟକ ବୋଲି ସେମାନେ କହିଛନ୍ତି।
ଏନେଇ ଗ୍ରାମବାସୀମାନେ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ସେମାନେ ଦାବି କରିଛନ୍ତି। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଦେଖାଯାଇଛି।
ଗ୍ରାମର ଛାତ୍ରଛାତ୍ରୀଙ୍କ ସୁବିଧା ଓ ସାଧାରଣ ଲୋକଙ୍କ ସୁରକ୍ଷିତ ଯାତାୟାତକୁ ଦୃଷ୍ଟିରେ ରଖି ଡ୍ରେନଗୁଡ଼ିକୁ ତୁରନ୍ତ ସଫା କରିବା ସହ ରାସ୍ତାରେ ଜମୁଥିବା ପାଣିର ସ୍ଥାୟୀ ନିଷ୍କାସନ ବ୍ୟବସ୍ଥା କରାଯିବାକୁ ଗ୍ରାମବାସୀ ଦାଵୀ କରିଛନ୍ତି।
