ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 6, 202618 views

ସରକାରଙ୍କ ଦୀର୍ଘଦିନର ନୀରବତା, ଶିକ୍ଷା ଓ ଶିକ୍ଷକ ବିରୋଧୀ ମନୋଭାବ ଏବଂ ଶିକ୍ଷକ ସମାଜ ପ୍ରତି କରାଯାଉଥିବା ଚରମ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିଜର ନ୍ୟାଯ୍ୟ ହକ୍ ଓ ସ୍ୱାଭିମାନ ରକ୍ଷା ପାଇଁ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱରଠାରେ ଏକ ବୃହତ୍ ଆନ୍ଦୋଳନର ଡାକରା ଦେଇଛି 'ଓଡ଼ିଶା ମାଧ୍ୟମିକ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି'।ଏହି ଗଣଆନ୍ଦୋଳନକୁ ତୃଣମୂଳ ସ୍ତରରୁ ଜନମୁଖୀ, ସୁଦୃଢ଼ ଓ ପ୍ରଭାବଶାଳୀ କରିବା ସହ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ରାଜ୍ୟବ୍ୟାପୀ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅଭିଯାନରେ ଶିକ୍ଷକ, କର୍ମଚାରୀଙ୍କ ସହିତ ସାଧାରଣ ଜନତା, ବୁଦ୍ଧିଜୀବୀ ଓ ଅଭିଭାବକମାନଙ୍କୁ ସାମିଲ କରାଯାଉଛି।ଏହି କ୍ରମରେ ଆଜି ରାଜ୍ୟର ପ୍ରତ୍ୟେକ ବ୍ଲକ୍ରେ ବିଡିଓଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅତାବିରା ବ୍ଲକ୍ 'ଓଷ୍ଟା' ପକ୍ଷରୁ ବ୍ଲକ୍ ସଭାପତି ବାଳମୁକୁନ୍ଦ ସାହୁ ଙ୍କ ନେତୃତ୍ୱରେ ଅତାବିରା ବିଡିଓ ରିପୁ ନାଥ ସୁନାଙ୍କୁ ଏକ ଦାବିପତ୍ର ହସ୍ତାନ୍ତର କରାଯାଇଛି। ବିଡିଓଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରେରଣ କରାଯାଇଛି। ଦାବି ପତ୍ର ରେ
ଅନୁଦାନପ୍ରାପ୍ତ ବ୍ୟବସ୍ଥା ଓ ପେନ୍ସନ୍: ସମସ୍ତ ଯୋଗ୍ୟ ସ୍କୁଲ ଓ କଲେଜକୁ ଅନୁଦାନପ୍ରାପ୍ତ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ସହ ନୂତନ ଅନୁଦାନପ୍ରାପ୍ତ ସ୍କୁଲ/କଲେଜର ଶିକ୍ଷକ ଓ କର୍ମଚାରୀଙ୍କୁ ପେନ୍ସନ୍ ଏବଂ ସେବା ସର୍ତ୍ତାବଳୀ ସୁବିଧା ପ୍ରଦାନ।
ନିଯୁକ୍ତି ଓ ଅବସର ବୟସସୀମା ବୃଦ୍ଧି ,ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜଗୁଡ଼ିକରେ ତୁରନ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ଏବଂ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା।
ସମସ୍ତ ବର୍ଗର ଶିକ୍ଷକଙ୍କ ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଓ ବ୍ୟବଧାନ ଦୂର କରିବା ଏବଂ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାଇଁ ୬ଟି କାଳ୍ପନିକ ବୃଦ୍ଧି ସାମିଲ କରିବା।
ସମସ୍ତ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲ-କଲେଜଗୁଡ଼ିକର ସମ୍ପୂର୍ଣ୍ଣ ସରକାରୀକରଣ ସହ ସମସ୍ତଙ୍କ ପାଇଁ ପୁରୁଣା ପେନ୍ସନ୍ ଯୋଜନା ଲାଗୁ କରିବା ଆଦି ଉଲ୍ଲେଖ ରହିଛି ।ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଜିଲ୍ଲା ଓଷ୍ଟା ଉପସଭାପତି ସଚ୍ଚିଦାନନ୍ଦ ପ୍ରଧାନ, ଜିଲ୍ଲା ଯୁଗ୍ମ ସମ୍ପାଦକ ଯାଦବ ପ୍ରଧାନ, ବ୍ଲକ ଯୁଗ୍ମ ସମ୍ପାଦିକା ସରମା ନାୟକ, ପୁରନ୍ଦର ପ୍ରଧାନ, ବରିଷ୍ଠ ସଭ୍ୟ ବଳରାମ ସାହୁ, ପୂର୍ବତନ ବ୍ଲକ ସମ୍ପାଦକ ଓକିଲ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଭବିଷ୍ୟତର ନାଗରିକ ଗଢ଼ୁଥିବା ଶିକ୍ଷକମାନେ ଆଜି ନିଜର ନ୍ୟାଯ୍ୟ ଅଧିକାର ଓ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ଦୀର୍ଘ ଦିନରୁ ତାଙ୍କର ନ୍ୟାଯ୍ୟ ଦାବି ସମ୍ପର୍କରେ ସରକାରଙ୍କୁ ଜଣାଇ ଆସୁଥିଲେ ବି ସରକାର ସମ୍ବେଦନହୀନତାର ପରିଚୟ ଦେଉଛନ୍ତି। ଯଦି ସରକାର ଶୀଘ୍ର ଏହି ସମ୍ବେଦନଶୀଳ ସମସ୍ୟାର ସମାଧାନ ନ କରନ୍ତି, ତେବେ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ଗଣଆନ୍ଦୋଳନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଗଠନ ଚେତାବନୀ ଦେଇଛି ।
