--:--:--
-- ---
Srishti News

ଅନହରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି ଗଠିତ

Bhadrak (ଭଦ୍ରକ)ରିପୋର୍ଟ: ଶିଶିର କୁମାର ସ୍ୱାଇଁAugust 6, 202674 views
ଅନହରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି ଗଠିତ
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ଅନହରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ପ୍ରତି ସ୍କୁଲ ପରିଚାଳନା କମିଟି (ଏସଏମସି) ନିର୍ବାଚନ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ମୋଟ ୧୧ଟି ସଦସ୍ୟ ପଦବୀ ପାଇଁ ଭୋଟଗ୍ରହଣ ହୋଇଥିବା ବେଳେ ସମସ୍ତ ୧୧ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପରେ ଆୟୋଜିତ ସ୍କୁଲ ପରିଚାଳନା କମିଟିର ପ୍ରଥମ ବୈଠକରେ ନବନିର୍ବାଚିତ ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ଶ୍ରୀ ପ୍ରଦୀପ କୁମାର ରାଉତଙ୍କୁ ସଭାପତି ଏବଂ ଶ୍ରୀମତୀ କ୍ଷିତିପ୍ରଭା ବାରିକଙ୍କୁ ଉପସଭାପତି ଭାବେ ଚୟନ କରିଥିଲେ। ଉଭୟଙ୍କ ନିର୍ବାଚନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଥିବା ବେଳେ ଭଗବାନପୁର ବିଜେପି ପକ୍ଷରୁ ନବନିର୍ବାଚିତ ସଭାପତି, ଉପସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ବୈଠକରେ ବିଦ୍ୟାଳୟର ସାମଗ୍ରିକ ବିକାଶ, ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବୃଦ୍ଧି, ପରିସରର ସ୍ୱଚ୍ଛତା, ଆବଶ୍ୟକ ଭିତ୍ତିଭୂମିର ଉନ୍ନତି, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟର ରକ୍ଷଣାବେକ୍ଷଣ, ବୃକ୍ଷରୋପଣ, ଖେଳକୁଦ ସୁବିଧା ଏବଂ ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନବଗଠିତ କମିଟି ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ପାଇଁ ସମସ୍ତଙ୍କୁ ସାଥିରେ ନେଇ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ଥିବା କଥା ପ୍ରକାଶ କରିଥିଲେ। ସ୍ଥାନୀୟ ଶିକ୍ଷାର ବିକାଶ ସହ ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ସଦସ୍ୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଥିଲେ। ନୂତନ କମିଟିର ନେତୃତ୍ୱରେ ବିଦ୍ୟାଳୟର ବିକାଶରେ ଏକ ନୂତନ ଅଧ୍ୟାୟର ସୂଚନା ମିଳିବ ବୋଲି ଅଞ୍ଚଳବାସୀ ଆଶା ବ୍ୟକ୍ତ କରିଛନ୍ତି।