ଅକାଳରେ ନିରବିଗଲା ଜଣେ ପ୍ରତିଶ୍ରୁତିଶୀଳ କଲମ: ଯୁବ ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ
Nuapada (ନୂଆପଡ଼ା)ରିପୋର୍ଟ: ଗିରେନ୍ଦ୍ର ଜଗତ ଓ ମଳୟ ମେହେରAugust 6, 202642 views

ନୂଆପଡ଼ା ଜିଲ୍ଲାର ସାମ୍ବାଦିକ ଜଗତ ପାଇଁ ଗୁରୁବାର ଏକ ଅତ୍ୟନ୍ତ ଦୁଃଖଦ ଦିନ। ଜିଲ୍ଲାର ଯୁବ ତଥା ଲୋକପ୍ରିୟ ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କର ମାତ୍ର ୪୩ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗରେ ସମଗ୍ର ନୂଆପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିବା ବେଳେ ସାମ୍ବାଦିକ ମହଳରେ ଗଭୀର ଶୂନ୍ୟତା ସୃଷ୍ଟି ହୋଇଛି।
ପରିବାର ସୂତ୍ରରୁ ପ୍ରକାଶ ଯେ, ରାଜ କିରଣ ସିଂ ଦେଓ ଦୀର୍ଘଦିନ ଧରି ପାନକ୍ରିୟାଜନିତ ରୋଗରେ ପୀଡ଼ିତ ଥିଲେ। ରାୟପୁରସ୍ଥିତ ଶ୍ରୀ ନାରାୟଣ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଗତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ଆଜି କୋମନା ବ୍ଲକ ଅନ୍ତର୍ଗତ ପୈତୃକ ଗ୍ରାମ ବୁଦ୍ଧିକୋମନକୁ ଅଣାଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।
ସ୍ୱର୍ଗତ ରାଜ କିରଣ ସିଂ ଦେଓ ନିଜ ପଛରେ ଜଣେ ପୁଅ, ଜଣେ ଝିଅ ଏବଂ ଶୋକସନ୍ତପ୍ତ ପରିବାରକୁ ଛାଡ଼ି ଯାଇଛନ୍ତି। ଜଣେ ନିଷ୍ଠାବାନ, ସରଳ, ମିଷ୍ଟଭାଷୀ ଓ ସଦା ହସମୁଖ ସାମ୍ବାଦିକ ଭାବେ ସେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ସମାଜର ବିଭିନ୍ନ ସମସ୍ୟାକୁ ନିର୍ଭୀକ ଭାବେ ଉପସ୍ଥାପନ କରିବା ସହ ସାମ୍ବାଦିକତାକୁ ସେ କେବଳ ଏକ ପେଶା ନୁହେଁ, ବରଂ ସମାଜସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିଥିଲେ।
ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ସାମାଜିକ, ରାଜନୈତିକ, ପ୍ରଶାସନିକ ଓ ସାମ୍ବାଦିକ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗକୁ ଜିଲ୍ଲାର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଛନ୍ତି।
ସାମ୍ବାଦିକତାର ଜଣେ ସଚ୍ଚୋଟ, ସମର୍ପିତ ଓ ସମ୍ବେଦନଶୀଳ କଣ୍ଠସ୍ୱର ଆଜି ନିରବ ହୋଇଯାଇଛି। ଈଶ୍ୱରଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଅସୀମ ଧୈର୍ଯ୍ୟ ଓ ମାନସିକ ଶକ୍ତି ପ୍ରଦାନ କରନ୍ତୁ ବୋଲି ସର୍ବସ୍ତରରୁ ପ୍ରାର୍ଥନା କରାଯାଇଛି।
