ଅବହେଳାରେ ମା' କାଳିଆ ଷଣ୍ଢ ଠାକୁରାଣୀ ପୀଠ ପାଣି, ବିଦ୍ୟୁତ୍ ଓ ରହଣି ବ୍ୟବସ୍ଥା ନାହିଁ; ଉନ୍ନୟନ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି
Nayagarh (ନୟାଗଡ଼)ରଣପୁର ନିରଞ୍ଜନ ମହାପାତ୍ରAugust 5, 202621 views

ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ନିକଟସ୍ଥ ମା' କାଳିଆ ଷଣ୍ଢ ଠାକୁରାଣୀଙ୍କ ପୀଠ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଦୀର୍ଘ ବର୍ଷ ଧରି ଏହି ପୀଠ ଅଞ୍ଚଳବାସୀଙ୍କ ଧାର୍ମିକ ଆସ୍ଥାର କେନ୍ଦ୍ରବିନ୍ଦୁ ହୋଇଆସୁଥିବା ବେଳେ ଏଠାରେ ବିବାହ, ମୁଦି ପିନ୍ଧା ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ସମାଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଧ୍ୟ ଭଦ୍ରବ୍ୟକ୍ତିମାନେ ଏଠାରେ ବୈଠକ କରିଥାନ୍ତି।
ପ୍ରତିବର୍ଷ ମାଘ ମାସରେ ତିନି ଦିନିଆ ବାର୍ଷିକ ଉତ୍ସବ ଧୁମଧାମରେ ପାଳନ କରାଯାଉଥିଲେ ମଧ୍ୟ ପୀଠରେ ଆବଶ୍ୟକ ମୌଳିକ ସୁବିଧାର ଘୋର ଅଭାବ ରହିଛି। ପାନୀୟ ଜଳର ସୁବିଧା ନଥିବା ବେଳେ ଥିବା ଏକମାତ୍ର ନଳକୂପରୁ ମଧ୍ୟ ମଇଳା ପାଣି ବାହାରୁଛି। ବିଦ୍ୟୁତ୍ ଆଲୋକର ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପରେ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ରୋଷେଇ ଓ ଭକ୍ତମାନଙ୍କ ରହିବା ପାଇଁ କୌଣସି ସ୍ଥାୟୀ ଘର ନାହିଁ।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପୀଠର ଉନ୍ନୟନ ପାଇଁ ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ରାଜସୁନାଖଳା–ଦର୍ପନାରାୟଣପୁର ବାଇପାସ ରାସ୍ତା କଡ଼ରେ ଅବସ୍ଥିତ ଏହି ପୀଠ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ରଣପୁର ଅଞ୍ଚଳର ଅନେକ ସ୍ଥାନରେ ସୋଲାର ଲାଇଟ୍ ସ୍ଥାପନ କରାଯାଉଥିବା ବେଳେ ଏହି ପୀଠରେ ମଧ୍ୟ ସୋଲାର ଆଲୋକ ବ୍ୟବସ୍ଥା ଏବଂ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ କରାଗଲେ ଶ୍ରଦ୍ଧାଳୁ ଓ ବାଟୋଇମାନେ ଉପକୃତ ହେବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଖବର ମାଧ୍ୟମ ଜରିଆରେ ସରକାର ତୁରନ୍ତ ଏହି ପୀଠର ବିକାଶ ପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।
