ଦାନଗଦୀ ବ୍ଲକର ସମସ୍ତ ବ୍ୟାଙ୍କକୁ ବିଡିଓଙ୍କ ନିର୍ଦ୍ଦେଶ: ଦିବ୍ୟାଙ୍ଗଙ୍କ ପାଇଁ ସୁଗମ୍ୟତା ସୁନିଶ୍ଚିତ କରନ୍ତୁ
Jajpur (ଯାଜପୁର)ଅନିଲ କୁମାର ଜେନାAugust 4, 202640 views

ଦାନଗଦୀ: ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ବ୍ୟାଙ୍କ ସେବାକୁ ସୁଗମ କରିବା ଉଦ୍ଦେଶ୍ୟରେ ଦାନଗଦୀ ବ୍ଲକ ବିକାଶ ଅଧିକାରୀ (ବିଡିଓ) ବ୍ଲକ ଅଧୀନସ୍ଥ ସମସ୍ତ ବ୍ୟାଙ୍କ ପରିଚାଳକଙ୍କୁ ଚିଠି ଜାରି କରି ତୁରନ୍ତ ସୁଗମ୍ୟତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ରାମ୍ପ, ହ୍ୟାଣ୍ଡରେଲ୍, ଦୃଷ୍ଟି ବାଧିତଙ୍କ ପାଇଁ ଟ୍ୟାକ୍ଟାଇଲ୍ ସାଇନେଜ୍ ଓ ଅନ୍ୟାନ୍ୟ ଆବଶ୍ୟକ ସୁଗମ୍ୟତା ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ବ୍ଲକର ବିଭିନ୍ନ ବ୍ୟାଙ୍କରେ ଆବଶ୍ୟକ ସୁଗମ୍ୟତା ବ୍ୟବସ୍ଥା ନଥିବାରୁ ଦିବ୍ୟାଙ୍ଗ ବ୍ୟକ୍ତି, ବରିଷ୍ଠ ନାଗରିକ ଓ ରୋଗୀମାନେ ବ୍ୟାଙ୍କ ସେବା ପାଇବାରେ ଗୁରୁତର ସମସ୍ୟା ଓ ହଇରାଣର ସମ୍ମୁଖୀନ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା।
ଦିବ୍ୟାଙ୍ଗ ଅଧିକାର ଆଇନ, ୨୦୧୬ ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ହସ୍ପିଟାଲ, ବ୍ୟାଙ୍କ ଓ ଅନ୍ୟାନ୍ୟ ସାର୍ବଜନୀନ ଭବନକୁ ଦିବ୍ୟାଙ୍ଗଙ୍କ ପାଇଁ ସୁଗମ୍ୟ କରିବା ବାଧ୍ୟତାମୂଳକ। ତଥାପି ଅନେକ ସଂସ୍ଥାରେ ଏହି ଆଇନର ପାଳନ ହେଉନଥିବା ଅଭିଯୋଗ ରହିଛି।
ଦିବ୍ୟାଙ୍ଗ ଅଧିକାର କର୍ମୀ ମଣ୍ଟୁ ଦାସ ଗତ ମାସରେ ଜିଲ୍ଲାପାଳଙ୍କୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ହସ୍ପିଟାଲ ଓ ବ୍ୟାଙ୍କରେ ସୁଗମ୍ୟତା ଭିତ୍ତିଭୂମି ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିବା ସହ ଆବଶ୍ୟକ ପଦକ୍ଷେପ ନ ନିଆଗଲେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ। ଏହାପରେ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ବିଭାଗକୁ ଏକ ମାସ ମଧ୍ୟରେ ସୁଗମ୍ୟତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି।
ଦାନଗଦୀ ବିଡିଓଙ୍କ ଏହି ପଦକ୍ଷେପକୁ ଦିବ୍ୟାଙ୍ଗ ଅଧିକାର କ୍ଷେତ୍ରରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ସାଧାରଣରେ ସ୍ୱାଗତ କରାଯାଇଛି।
