୫୧ ଲକ୍ଷରୁ ଅଧିକ ବ୍ୟୟରେ ନିରାପଦ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ: ମଧୁସୂଦନ ମାର୍କେଟ ନିକଟରେ ଯାତାୟାତ ସୁରକ୍ଷା ଓ ସୁବିଧା ବୃଦ୍ଧି ଦିଗରେ ବିଏମସିର ପଦକ୍ଷେପ
Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁଶାନ୍ତ କୁମାର ମହାକୁଡ଼August 4, 202611 views

ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ମଧୁସୂଦନ ମାର୍କେଟ ନିକଟସ୍ଥ ହାଇସ୍କୁଲ ପାର୍ଶ୍ୱରେ ନିରାପଦ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ମଙ୍ଗଳବାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୫୧ ଲକ୍ଷ ୨୧ ହଜାର ୫୦୦ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟାତକୁ ଅଧିକ ସୁଗମ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ବିଏମସି ଏହି ପ୍ରକଳ୍ପକୁ ହାତକୁ ନେଇଛି। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଉକ୍ତ ଅଞ୍ଚଳରେ ଯାତାୟାତ ସମସ୍ୟା ଦୂର ହେବା ସହ ପଥଚାରୀଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଭୁବନେଶ୍ୱର (ମଧ୍ୟ)ର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଁହର ଏବଂ ୱାର୍ଡ ନଂ–୨୫ର କର୍ପୋରେଟର ଶ୍ରୀମତୀ ମାନସୀ ରାଣୀ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।
ଉପସ୍ଥିତ ଜନପ୍ରତିନିଧିମାନେ କହିଥିଲେ ଯେ, ରାଜଧାନୀରେ ଉନ୍ନତ ଭିତ୍ତିଭୂମି ସହ ନିରାପଦ ଯାତାୟାତ ବ୍ୟବସ୍ଥା ଗଢ଼ି ତୋଳିବା ଦିଗରେ ବିଏମସି ପକ୍ଷରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯାଇ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ କରାଯିବ ବୋଲି ସେମାନେ ସୂଚନା ଦେଇଥିଲେ।
