--:--:--
-- ---
Srishti News

ଜନଅଭିଯୋଗର ତ୍ୱରିତ ସମାଧାନକୁ ଗୁରୁତ୍ୱ: ନୂଆପଡ଼ାରେ ଜିଲ୍ଲାପାଳ–ଏସ୍‌ପିଙ୍କ ଯୁଗ୍ମ ଶୁଣାଣି ଶିବିର

Nuapada (ନୂଆପଡ଼ା)ବିଜୟ ବରିହାAugust 4, 202610 views
ଜନଅଭିଯୋଗର ତ୍ୱରିତ ସମାଧାନକୁ ଗୁରୁତ୍ୱ: ନୂଆପଡ଼ାରେ ଜିଲ୍ଲାପାଳ–ଏସ୍‌ପିଙ୍କ ଯୁଗ୍ମ ଶୁଣାଣି ଶିବିର
ନୂଆପଡ଼ା ସଦର ମହକୁମାସ୍ଥିତ ସଦ୍‌ଭାବନା ସଭାଗୃହରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରରେ ମୋଟ ୧୩୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୧୯ଟି ବ୍ୟକ୍ତିଗତ, ୧୯ଟି ସାମୂହିକ ଏବଂ ୧ଟି ରେଡ୍ କ୍ରସ ସମ୍ବନ୍ଧୀୟ ଆବେଦନ ରହିଥିଲା। ଶିବିରରେ ପଞ୍ଜିକୃତ ସମସ୍ତ ଅଭିଯୋଗର ଗୁରୁତ୍ୱର ସହ ଶୁଣାଣି କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଜନସାଧାରଣଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟାର ସମାଧାନ କରିବା ପ୍ରଶାସନର ପ୍ରମୁଖ ଦାୟିତ୍ୱ। ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ସେହିପରି ରେଡ୍ କ୍ରସ ପାଣ୍ଠିରୁ କୁରୁମପୁରୀ ଗ୍ରାମର ବେଲମତୀ ସତନାମୀଙ୍କୁ ତତ୍କାଳୀନ ସହାୟତା ସ୍ୱରୂପ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାଁ, ବନଖଣ୍ଡ ଅଧିକାରୀ (ବନ୍ୟଜନ୍ତୁ) ସମୀର ସାହୁ, ବନଖଣ୍ଡ ଅଧିକାରୀ, କେନ୍ଦୁପତ୍ର ଏ ମାଧବୀଲତା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ରୋଶନ ଜେନା ଏବଂ ନୂଆପଡ଼ା ବିଡିଓ ରୋହିତ ଭୋଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।