ଚିକିଟି ପେଣ୍ଠ ଶିଶୁମନ୍ଦିର ରୋଡରେ ଜଳବନ୍ଦୀ; ଯାତାୟାତରେ ଅସୁବିଧା ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା
Ganjam (ଗଞ୍ଜାମ)ଚିକିଟି,ଦୁର୍ଗା ମାଧବ ମହାରଣାAugust 4, 202671 views

ଚିକିଟି ପେଣ୍ଠ ଶିଶୁମନ୍ଦିର ରୋଡରେ ଲଗାଣ ବର୍ଷା ହେଲେ ବର୍ଷାପାଣି ଜମି ରହିଯାଉଛି ଓ ରାସ୍ତା ଉପରେ ମଧ୍ୟ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବ୍ୟାହତ ହେଉଛି। ଏହି ରାସ୍ତା ଦେଇ ଶିଶୁମନ୍ଦିରର ଛାତ୍ରଛାତ୍ରୀ,ବିଇଓ ଅଫିସ୍, ଷ୍ଟାଡିୟମ ପାଇଁ ଯୁବକ ଓ ବୟସ୍କ, ସମସ୍ତେ ଚାଲିଚାଲି କି ଗାଡ଼ିରେ ଯାତାୟାତ କରୁଥିବାବେଳେ ପାଣି ଲାଗି ହନ୍ତସନ୍ତ ହେଉଛନ୍ତି।
ବିଭିନ୍ନ ଓ୍ବାଡ ଦେଇ ଯାଇଥିବା ନାଳ ଗୁଡିକରେ ବର୍ଷା ପୂର୍ବରୁ ସଫା ନ ହୋଇ ଥିବାରୁ ଆବର୍ଜନା ଜମା ହେହୋଇଯାଉଛି। ୭ନମ୍ବର ଓ୍ବାଡ ନାଳ ପାଖରେ ଥିବା ଆବର୍ଜନା କୁଣ୍ଡର ଫାଟକ ଭାଙ୍ଗି ଯାଇଥିବାରୁ ଗୋରୁଗାଈ ଓ ମାଙ୍କଡ ଆବର୍ଜନା ଟାଣିଆଣି ରାସ୍ତାରେ ଭରି କରୁଛନ୍ତି ଯା ଦ୍ଵାରା ନାଳରେ ଆବର୍ଜନା ପ୍ରବେଶ ହେବା ସହ ଦୁର୍ଗନ୍ଧ ହେଉଛି।
ରଘୁନାଥ ବିହାର ରୁ ବ୍ରହ୍ମା ନଗର ବସଷ୍ଟାଣ୍ଡ ରାସ୍ତାର ନାଳ ଉପରେ ଥିବା ଛୋଟ କଲଭର୍ଟ ମରାମତି ଅଭାବରୁ ସ୍କୁଲ୍ ପିଲା ଓ ବଡ ଲୋକ ମଧ୍ୟ ପଡିଯାଇ ଆହତ ହେଉଛନ୍ତି।
ଶିଶୁମନ୍ଦିରର ପାଚେରୀ ନିର୍ମାଣ ପରେ ସଠିକ୍ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷାର ପାଣି ନିଷ୍କାସିତ ହୋଇପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତା ଜଳମଗ୍ନ ହୋଇପଡ଼ୁଛି। ଏଥିଯୋଗୁଁ ସ୍କୁଲକୁ ଯାଉଥିବା ଶିଶୁମାନଙ୍କ ସହ ସାଧାରଣ ପଥଚାରୀମାନେ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି।
ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚିକିଟି ଏନଏସି କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ସହ ଆବଶ୍ୟକ ମରାମତି କାର୍ଯ୍ୟ ହାତକୁ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି
। ସମସ୍ୟା ସମାଧାନ ପାଇଁ ରଘୁନାଥ ବିହାର ବାସିନ୍ଦା ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଜଣାଇଥିବା ପ୍ରକାଶ।

