ଶୀର୍ଷକ: ସାପ କାମୁଡ଼ାରେ କିଶୋରୀଙ୍କ ମୃତ୍ୟୁ; ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟା ହଇରାଣ, ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 2, 202621 views

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ପଞ୍ଚାୟତର ବାର୍ଷିକୋନା ଗ୍ରାମରେ ସାପ କାମୁଡ଼ାରେ ଜଣେ ୧୬ ବର୍ଷୀୟ ଆଦିବାସୀ କିଶୋରୀଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ହଇରାଣ ହେବାକୁ ପଡ଼ିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପ୍ରଶାସନିକ ସମନ୍ୱୟକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ବାର୍ଷିକୋନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟ ଝିଅ ମାଧୁରୀ ଗୁରୁବାର ବିଳମ୍ବିତ ରାତିରେ ନିଜର ଅନ୍ୟ ଛଅ ଜଣ ସାଙ୍ଗଙ୍କ ସହ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଶୁକ୍ରବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଥୁଆମୂଳ ରାମପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଥୁଆମୂଳ ରାମପୁର ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ବିଭିନ୍ନ କାରଣ ଦର୍ଶାଇ ଶବ ବ୍ୟବଚ୍ଛେଦ କରାଯାଇନଥିବା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପଟେ କଲମପୁର ହସ୍ପିଟାଲରେ ଏହି ସୁବିଧା ନଥିବାରୁ ଶେଷରେ ମୃତଦେହକୁ ଜୟପାଟଣା ହସ୍ପିଟାଲକୁ ନେଇ ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।
ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାୟ ୩୬ ଘଣ୍ଟା ସମୟ ଲାଗିଥିଲା। ଜଣେ ଗରିବ ଆଦିବାସୀ ପରିବାରକୁ ଶବ ବ୍ୟବଚ୍ଛେଦ ପାଇଁ ତିନୋଟି ହସ୍ପିଟାଲ ବୁଲିବାକୁ ପଡ଼ିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି।
ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ଏଭଳି ଘଟଣା ଦୂରଦୂରାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ ସମନ୍ୱୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଉଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଯଦି କୌଣସି ଅବହେଳା ଥାଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଏହି ଘଟଣା ଗ୍ରାମାଞ୍ଚଳରେ ଜରୁରୀ ସ୍ୱାସ୍ଥ୍ୟସେବା, ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଏବଂ ଆନ୍ତଃବିଭାଗୀୟ ସମନ୍ୱୟକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତାକୁ ପୁଣି ଥରେ ସାମ୍ନାକୁ ଆଣିଛି।
