--:--:--
-- ---
Srishti News

ହତ୍ୟା ଓ ଯୌତୁକ ନିର୍ଯାତନା ମାମଲା ରୁଜୁ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ

Jajpur (ଯାଜପୁର)ରିପୋର୍ଟ : ଅନିଲ କୁମାର ଜେନାAugust 2, 202649 views
ହତ୍ୟା ଓ ଯୌତୁକ ନିର୍ଯାତନା ମାମଲା ରୁଜୁ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ
କଳିଙ୍ଗନଗର: ପ୍ରେମ ବିବାହର ମାସେ ନପୂରୁଣୁ ଚାଲିଗଲା ନବବଧୂଙ୍କ ଜୀବନ। ଟମକା ଥାନା ଅନ୍ତର୍ଗତ ନୂଆ ମାନପୁର ଗ୍ରାମରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୃତକଙ୍କ ସ୍ୱାମୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ​ମିଳିଥିବା ସୂଚନା ଅନୁଯାୟୀ, ପାଣିକୋଇଲି ଥାନା ରାଧାନଗର ପାଟଣା ଗ୍ରାମର ବଳରାମ ପାତ୍ରଙ୍କ ୨୦ ବର୍ଷୀୟା ଝିଅ ସ୍ୱାଗତିକା ପାତ୍ର ଗତ ଜୁଲାଇ ୬ ତାରିଖ ରାତି ପ୍ରାୟ ୩ଟା ସମୟରେ ଘରୁ ନିଖୋଜ ହୋଇଯାଇଥିଲେ। ଟମକା ଥାନା ନୂଆ ମାନପୁର ଗ୍ରାମର ନଟବର କାଣ୍ଡିଙ୍କ ପୁଅ ସନ୍ତୋଷ କୁମାର କାଣ୍ଡି ତାଙ୍କୁ ନେଇଯାଇଥିବା ପରେ ଜଣାପଡ଼ିଥିଲା। ପରଦିନ ସନ୍ତୋଷ, ସ୍ୱାଗତିକାଙ୍କୁ କୋର୍ଟ ମ୍ୟାରେଜ୍ କରିଥିବା ନେଇ ତାଙ୍କର ଜଣେ ସାଙ୍ଗ ହ୍ୱାଟସଆପ୍ ମାଧ୍ୟମରେ ସ୍ୱାଗତିକାଙ୍କ ବାପାଙ୍କ ନିକଟକୁ ବିବାହ ପ୍ରମାଣପତ୍ର ପଠାଇଥିଲେ। ​ଜୁଲାଇ ୧୦ ତାରିଖରେ ସ୍ୱାଗତିକାଙ୍କ ବାପା ବଳରାମ ପାତ୍ର କିଛି ଭଦ୍ରଲୋକଙ୍କୁ ସାଙ୍ଗରେ ଧରି ଝିଅର ଶାଶୂଘର (ନୂଆ ମାନପୁର)କୁ ଯାଇଥିଲେ। ତେବେ ସେଠାରେ ସ୍ୱାଗତିକା ନିଜ ଇଚ୍ଛାରେ ସ୍ୱାମୀଙ୍କ ସହ ରହିବେ, ବାପଘରକୁ ଫେରିବେ ନାହିଁ ବୋଲି କହିବାରୁ ବାପା ନିରାଶ ହୋଇ ଘରକୁ ଫେରି ଆସିଥିଲେ। ​ତେବେ ଜୁଲାଇ ୩୧ ରାତିରେ ସ୍ୱାଗତିକାଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ବାପା ଖବର ପାଇଥିଲେ। ଝିଅକୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ନେଇ ବାପା ବଳରାମ ପାତ୍ର ଟମକା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ​ଅଭିଯୋଗକୁ ଆଧାର କରି ଟମକା ପୋଲିସ କେସ୍ ନଂ ୧୧୫ (ତା- ୦୧.୦୮.୨୦୨୬), ଭାରତୀୟ ନ୍ୟାୟ ସଂହିତା ର ଧାରା ୮୫, ୧୦୩(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଘଟଣାରେ ମୁଖ୍ୟ ଆସାମୀ ସନ୍ତୋଷ କୁମାର କାଣ୍ଡିଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି। ଶବ ଜବତ ସହ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର ପରେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରହିଥିବା ଟମକା ପୋଲିସ ସୂତ୍ରରୁ ପ୍ରକାଶ।