--:--:--
-- ---
Srishti News

ମୁଖ୍ୟ ଚିକିତ୍ସାଳୟରେ ଶିଶୁ ହୃଦରୋଗ ଚିକିତ୍ସା ଚିହ୍ନଟ ଶିବିର ଅନୁଷ୍ଠିତ

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵରAugust 1, 202627 views
ମୁଖ୍ୟ ଚିକିତ୍ସାଳୟରେ ଶିଶୁ ହୃଦରୋଗ ଚିକିତ୍ସା ଚିହ୍ନଟ ଶିବିର ଅନୁଷ୍ଠିତ
ବାଲେଶ୍ୱର : ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଓ ନାରାୟଣୀ ହୃଦ୍ରୋଗ ଚିକିତ୍ସାଳୟ ମିଳିତ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ କିଶୋରଙ୍କର ନିଶୁଳ୍କ ହୃଦ୍ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଅଧୀକ୍ଷକ ଡା. ଅମୂଲ୍ୟ କୁମାର ଦାସ ଶିବିରକୁ ଉଦ୍‌ଘାଟନ କରିବା ସହ ଶିବିରର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ଶିବିରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବହୁପିଲା ହୃଦ୍ରୋଗରେ ଶିକାର ହେଉଥିବାବେଳେ ଏହାକୁ ଗୁରୁତ୍ୱଦେଇ ସରକାର ଏହି ପରୀକ୍ଷା ଓ ମାଗଣା ଚିକିତ୍ସା ବାବଦରେ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ୍‌ର ପିଲାଙ୍କ ସଂଖ୍ୟା ତାଲିକା ପ୍ରସ୍ତୁତ କରାଯାଇ ଏକ ନିର୍ଦ୍ଦିଷ୍ଟ ଦିନରେ ଶିବିର ଆୟୋଜନ କରାଯାଉଛି। ଚିହ୍ନଟ ହୋଇଥିବା ପିଲାଙ୍କ ହୃଦ୍ରୋଗ ଅସ୍ତ୍ରୋପଚାର କଲିକାତାର ନାରାୟଣୀ ହୃଦୟାଳୟରେ କରାଯିବ। ନାରାୟଣୀ ହୃଦୟାଳୟର ଶିଶୁ ବିଶେଷଜ୍ଞ ଡା. ଅନ୍ୱେଷା ମହାନ୍ତ ଶିବିରରେ ଶିଶୁଙ୍କୁ ପରୀକ୍ଷା କରିଥିଲେ। ଏଥିରେ ମୋଟ୍ ୧୨୦ ଜଣ ଶିଶୁକିଶୋରଙ୍କୁ ପରୀକ୍ଷା କରାଯାଇଥିଲା। ଅତିରିକ୍ତ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ପରେଶ ଚନ୍ଦ୍ର ନନ୍ଦୀ, ଆରବିଏସକେ ମ୍ୟାନେଜର ସମିତ କୁମାର ଭୋଲ, ଡିଇଆଇସି ଶିଶୁରୋଗ ବିଶେଷଜ୍ଞ ଡା. ମାନସୀ ରାୟ, ଦନ୍ତରୋଗ ବିଶେଷଜ୍ଞ ଡା. ଉଜ୍ଜ୍ୱଳକୁମାର ବେହେରା, ସମସ୍ତ ଡିଇଆଇସି ସଦସ୍ୟ, ହସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢୀଙ୍କ ସମେତ ବହୁ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସ ଶିବିର ପରିଚାଳନାରେ ସହଯୋଗ କରିଥିଲେ।