ରିଲିଫ ବାଣ୍ଟି ବନ୍ୟା ବିପନ୍ନଙ୍କ ହୃଦୟ ଜିତିଲେ ତିହିଡ଼ି IIC
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 1, 202656 views

ଭୟଙ୍କର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଏହି ବନ୍ୟାର ପ୍ରଭାବରୁ ତିହିଡ଼ି ବ୍ଲକର ଅନେକ ପଞ୍ଚାୟତ ଓ ଗ୍ରାମ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଲୋକମାନଙ୍କର ଘରେ ପାଣି ପଶିଯିବା ସହ ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରି ଦୁର୍ଦ୍ଦିନରେ ପ୍ରଶାସନ ଓ ପୁଲିସ ପକ୍ଷରୁ ସହାୟତା କାର୍ଯ୍ୟ ଜୋରଦାର ଭାବେ ଚାଲିଥିବା ବେଳେ ତିହିଡ଼ି ଥାନା ଅଧିକାରିଣୀ (IIC) ଲୋପାମୁଦ୍ରା ନାୟକ ନିଜର ମାନବିକତା ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇ ସାଧାରଣ ଲୋକଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।
ତିହିଡ଼ି ବ୍ଲକର ସୟା ଅଞ୍ଚଳରେ ବନ୍ୟାରେ ପ୍ରଭାବିତ ପରିବାରମାନଙ୍କ ନିକଟରେ ସେ ନିଜେ ପହଞ୍ଚି ସେମାନଙ୍କର ସ୍ଥିତି ପରଖିଥିଲେ। ଏହା ସହ ବନ୍ୟା ବିପନ୍ନଙ୍କୁ ଆବଶ୍ୟକୀୟ ରିଲିଫ ସାମଗ୍ରୀ ବଣ୍ଟନ କରି ସେମାନଙ୍କୁ ସାହସ ଓ ଭରସା ଯୋଗାଇଥିଲେ। ବିପଦ ସମୟରେ ସରକାର ଓ ପ୍ରଶାସନ ସେମାନଙ୍କ ସହ ରହିଛି ବୋଲି ସେ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ।
ଏହି ଅବସରରେ ଲୋପାମୁଦ୍ରା ନାୟକ ଗ୍ରାମବାସୀଙ୍କ ସହ ଆଲୋଚନା କରି ବନ୍ୟା ସମୟରେ କିପରି ସୁରକ୍ଷିତ ରହିବେ, ଅନାବଶ୍ୟକ ଭାବେ ବନ୍ୟା ଜଳକୁ ନଯିବା, ବିଦ୍ୟୁତ୍ ସଂଯୋଗ ଓ ଅନ୍ୟାନ୍ୟ ବିପଦ ପ୍ରତି ସତର୍କ ରହିବା ସହ ପ୍ରଶାସନର ପରାମର୍ଶକୁ ପାଳନ କରିବା ପାଇଁ ସଚେତନ କରିଥିଲେ। ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପୁଲିସ କିମ୍ବା ପ୍ରଶାସନକୁ ସୂଚନା ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ତିହିଡ଼ି IICଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି। ବିପଦ ସମୟରେ ପୁଲିସ କେବଳ ଆଇନ-ଶୃଙ୍ଖଳା ରକ୍ଷାରେ ସୀମିତ ନରହି ମାନବ ସେବାର ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଥିବାରୁ ବନ୍ୟା ବିପନ୍ନଙ୍କ ମନରେ ନୂଆ ଆଶା ଓ ଭରସା ସଞ୍ଚାର ହୋଇଛି। ସାଧାରଣ ଲୋକଙ୍କ ସହ ଏଭଳି ନିବିଡ଼ ସମ୍ପର୍କ ଏବଂ ସେବା ମନୋଭାବ ପାଇଁ ତିହିଡ଼ି IIC ଲୋପାମୁଦ୍ରା ନାୟକ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି।
