ବାରମ୍ବାର ନିୟମ ଭଙ୍ଗର ଫଳ: ନୂଆପଡ଼ା ବଜାରରେ ପ୍ଲାଷ୍ଟିକ୍ ବ୍ୟବସାୟୀଙ୍କ ଦୋକାନ ସିଲ୍
Nuapada (ନୂଆପଡ଼ା)ରିପୋର୍ଟ : ବିଜୟ ବରିହାJuly 22, 202627 views

ନୂଆପଡ଼ା, ୧୯/୦୭
ନୂଆପଡ଼ା ଜିଲ୍ଲାକୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ (SUP) ମୁକ୍ତ କରିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ୱଚ୍ଛତା ଦଳ ଏବଂ ନୂଆପଡ଼ା ଏନଏସିର ମିଳିତ ଉଦ୍ୟମରେ ନୂଆପଡ଼ା ଦୈନିକ ଓ ସାପ୍ତାହିକ ବଜାରରେ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ ଓ ଯାଞ୍ଚ ଅଭିଯାନ କରାଯାଇଥିଲା ।
ଯାଞ୍ଚ ସମୟରେ ବଜାରସ୍ଥିତ ପିଆଜ ଓ ଆଳୁ ବ୍ୟବସାୟୀ ତାରକେଶ୍ୱର ଗୁପ୍ତାଙ୍କ ଦୋକାନରୁ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ୍ ସମେତ ବିଭିନ୍ନ ପ୍ରକାରର SUP ସାମଗ୍ରୀ ଜବତ କରାଯାଇଥିଲା । ପ୍ରାୟ ୨ କିଲୋଗ୍ରାମ ନିଷିଦ୍ଧ ପ୍ଲାଷ୍ଟିକ୍ ସାମଗ୍ରୀ ଘଟଣାସ୍ଥଳରେ ନଷ୍ଟ କରାଯାଇ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ ଏନଏସି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ।
ପ୍ରଶାସନ ସୂଚନା ଅନୁଯାୟୀ, ସମ୍ପୃକ୍ତ ବ୍ୟବସାୟୀ ପୂର୍ବରୁ ଏକାଧିକ ଥର ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କରି ଧରାପଡ଼ିଥିଲେ। ବାରମ୍ବାର ଜରିମାନା ଆଦାୟ ଏବଂ ସତର୍କ କରାଯାଇଥିଲେ ମଧ୍ୟ ସେ ନିୟମ ଉଲ୍ଲଂଘନ ଜାରି ରଖିଥିବାରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ–୨୦୨୬ ଅନୁଯାୟୀ ତାଙ୍କ ଦୋକାନକୁ ସିଲ୍ କରାଯାଇଛି ।
ସ୍ଥାନୀୟ ପୋଲିସର ଉପସ୍ଥିତିରେ ଦୋକାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ପରେ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ଦୋକାନକୁ ବିଧିବଦ୍ଧ ଭାବେ ସିଲ୍ କରାଯାଇଥିଲା । ସିଲ୍ ହୋଇଥିବା ଦୋକାନର କୌଣସି ସାମଗ୍ରୀରେ ପରିବର୍ତ୍ତନ, ସ୍ଥାନାନ୍ତର କିମ୍ବା ବିକ୍ରୟ ନ କରିବାକୁ ଦୋକାନ ମାଲିକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଏହି ଚଢ଼ାଉରେ ନିୟନ୍ତ୍ରିତ ବଜାର ସମିତିର ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି, ଜିଲ୍ଲା ସ୍ୱଚ୍ଛତା ସଂଯୋଜକ ଅନିଲ କୁମାର ଲେଙ୍କା, ଓରମାସର ଉପ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦେଶ ଘୋଷ, ସିବିଡିଏର ସ୍ପେଶାଲ ଅଫିସର ବିଜୟାନନ୍ଦ ମଲ୍ଲିକ, ନୂଆପଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରାକର, ସ୍ୱଚ୍ଛତା ବିଶେଷଜ୍ଞ ରାଜୀବ କୁମାର ପାତ୍ର, ସ୍ୱଚ୍ଛତା ସୁପରଭାଇଜର ଯଜ୍ଞସେନୀ ମହାପାତ୍ର, ଗିରିଶ, ପ୍ରେମଲାଲ ଗୌଡ଼ଙ୍କ ସମେତ ସ୍ୱଚ୍ଛତା ଦଳର ସଦସ୍ୟମାନେ ସାମିଲ ହୋଇଥିଲେ। ସ୍ଥାନୀୟ ପୋଲିସର ସହଯୋଗରେ ସମଗ୍ର କାର୍ଯ୍ୟାନୁଷ୍ଠାନ ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ଭାବେ ସମ୍ପନ୍ନ ହୋଇଥିଲା ।
ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରରୁ ସମ୍ପୂର୍ଣ୍ଣ ବିରତ ରହି କପଡ଼ା ବ୍ୟାଗ୍, କାଗଜ ବ୍ୟାଗ୍, ପତ୍ର ଥାଳି ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ଆହ୍ୱାନ ଜଣାଇଛି । ସେହିପରି ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଓ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିୟମିତ ଜାରି ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।
