ବର୍ଷାରେ ବେହାଲ ଝାଲବାହାଲ ମୁଖ୍ୟ ରାସ୍ତା, ଆଣ୍ଠୁଏ ପାଣିରେ ହନ୍ତସନ୍ତ ଜନଜୀବନ
Nuapada (ନୂଆପଡ଼ା)ରିପୋର୍ଟ : ବିଜୟ ବରିହାJuly 22, 202628 views

ନୂଆପଡ଼ା, ୧୯/୦୭
ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ସାଳିହା ଗ୍ରାମପଞ୍ଚାୟତର ଝାଲବାହାଲ ଗ୍ରାମ ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥା ଏବେ ଅଞ୍ଚଳବାସୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଦୈନନ୍ଦିନ ଯାତାୟାତ ବ୍ୟାହତ ହେଉଛି । ଫଳରେ ସ୍ଥାନୀୟ ଲୋକଙ୍କ ସହ ଆଖପାଖ ପଞ୍ଚାୟତର ବାସିନ୍ଦାମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରିଆର ରୋଡ଼କୁ ସଂଯୋଗ କରୁଥିବା ଏହି ରାସ୍ତା ଅଞ୍ଚଳର ଏକ ପ୍ରମୁଖ ସଡ଼କ ହୋଇଥିବାରୁ ପ୍ରତିଦିନ ଶହ ଶହ ଲୋକ ଏହା ଉପରେ ନିର୍ଭର କରନ୍ତି। ବୋଇରଭାଡ଼ି, ଦର୍ଲିମୁଣ୍ଡା, ସାହିପାଲା ଓ ଯାମପାଣି ଗ୍ରାମପଞ୍ଚାୟତର ଲୋକମାନେ ମଧ୍ୟ ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରୁଛନ୍ତି । କିନ୍ତୁ ବର୍ଷା ହେବାମାତ୍ରେ ରାସ୍ତା ଜଳମଗ୍ନ ହୋଇପଡ଼ୁଥିବାରୁ ଛାତ୍ରଛାତ୍ରୀ, ଚାଷୀ, ରୋଗୀ ଓ ସାଧାରଣ ଯାତ୍ରୀଙ୍କୁ ଜୀବନକୁ ବାଜି ଲଗାଇ ଯିବାକୁ ପଡ଼ୁଛି । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ । ବିଶେଷକରି ରାସ୍ତାରେ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷା ଋତୁରେ ଏହି ସମସ୍ୟା ଉଗ୍ର ରୂପ ନେଉଛି । ଏଭଳି ପରିସ୍ଥିତିରେ ରାସ୍ତାର ତୁରନ୍ତ ମରାମତି ସହ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି । ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଗଣଆନ୍ଦୋଳନ କରିବାକୁ ମଧ୍ୟ ସ୍ଥାନୀୟ ଲୋକ ସତର୍କ କରିଛନ୍ତି ।
