--:--:--
-- ---
Srishti News

ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃନିର୍ମିତ ବରପାଲି ରେଳ ଷ୍ଟେସନର ଲୋକାର୍ପଣ, ଏକାଧିକ ଟ୍ରେନ୍ ରହଣି ପାଇଁ ସାଂସଦଙ୍କୁ ଦାବି

Bargarh (ବରଗଡ଼)ରିପୋର୍ଟ : ସତ୍ୟ ସୁରୁଜାଲJuly 19, 202669 views
ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃନିର୍ମିତ ବରପାଲି ରେଳ ଷ୍ଟେସନର ଲୋକାର୍ପଣ, ଏକାଧିକ ଟ୍ରେନ୍ ରହଣି ପାଇଁ ସାଂସଦଙ୍କୁ ଦାବି
ବରଗଡ଼/ବରପାଲି : ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରାୟ ୨୨.୨୮ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମାଣ କରାଯାଇଥିବା ବରପାଲି ରେଳ ଷ୍ଟେସନର ଆଜି ଲୋକାର୍ପଣ କରାଯାଇଛି। ଏହା ସହ ବଲାଙ୍ଗୀର ଓ କେସିଙ୍ଗା ରେଳ ଷ୍ଟେସନର ମଧ୍ୟ ଲୋକାର୍ପଣ କରାଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ଚୌଧୁରୀ, ପ୍ରସନ୍ନ ପାଣ୍ଡେ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସଂଯୋଜିକା ମୁଗ୍ଧା ଦାଶଙ୍କ ସମେତ ବହୁ ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୁନଃନିର୍ମିତ ବରପାଲି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ସର୍କୁଲେଟିଂ ଏରିଆ, ପାର୍କିଂ, ଦିବ୍ୟାଙ୍ଗ-ବନ୍ଧବ ସୁବିଧା, ୧୨ ମିଟର ପ୍ରସ୍ଥର ଫୁଟ୍ ଓଭରବ୍ରିଜ୍, ଉନ୍ନତ ଆଲୋକୀକରଣ, ସିସିଟିଭି, ଡିଜିଟାଲ ସୂଚନା ବୋର୍ଡ ଓ ପବ୍ଲିକ ଆଡ୍ରେସ୍ ସିଷ୍ଟମ୍ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ବରପାଲି ସହ ବରଗଡ଼, ବିଜେପୁର, ପଦ୍ମପୁର, ଗାଇସିଲେଟ, ଡୁଙ୍ଗୁରୀପାଲି, ରାମପୁର ଓ ସୁବର୍ଣ୍ଣପୁର ଅଞ୍ଚଳର ଯାତ୍ରୀମାନେ ବହୁ ଉପକୃତ ହେବେ।ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଥିଲେ ଯେ, ଅମୃତ ଭାରତ ଷ୍ଟେସନ ଯୋଜନା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ରେଳ ଭିତ୍ତିଭୂମିରେ ଐତିହାସିକ ପରିବର୍ତ୍ତନ ଆସୁଛି। ବରପାଲି, ବଲାଙ୍ଗୀର ଓ କେସିଙ୍ଗା ଷ୍ଟେସନର ଆଧୁନିକୀକରଣ ଦ୍ୱାରା ଯାତ୍ରୀମାନେ ଉନ୍ନତ ସୁବିଧା ପାଇବେ। ଏହା ସହ ସ୍ଥାନୀୟ ବ୍ୟବସାୟ, ପର୍ଯ୍ୟଟନ, କୃଷି ଓ ଶିଳ୍ପ କ୍ଷେତ୍ରର ବିକାଶକୁ ମଧ୍ୟ ନୂଆ ଗତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରେଳ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଆଜି ଗ୍ରାମାଞ୍ଚଳର ଷ୍ଟେସନଗୁଡ଼ିକ ମଧ୍ୟ ବିଶ୍ୱସ୍ତରୀୟ ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ।ଲୋକାର୍ପଣ ଉତ୍ସବ ଅବସରରେ ବରପାଲିର ବିଭିନ୍ନ ସାମାଜିକ, ବ୍ୟବସାୟିକ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଯଶମନ୍ତପୁର–ହାଟିଆ ଏକ୍ସପ୍ରେସ୍, ଟାଟା–ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍, ପୁରୀ–ଅହମଦାବାଦ ଏକ୍ସପ୍ରେସ୍, ସୋନପୁର–ପୁରୀ ଏକ୍ସପ୍ରେସ୍ ଏବଂ ସମ୍ବଲପୁର–ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ର ବରପାଲି ରେଳ ଷ୍ଟେସନରେ ନିୟମିତ ରହଣି ବ୍ୟବସ୍ଥା କରିବାକୁ ଦାବି ଜଣାଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଏହି ଟ୍ରେନ୍‌ଗୁଡ଼ିକର ରହଣି ହେଲେ ବରପାଲି ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ଯାତ୍ରୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ଚାକିରିଆମାନେ ବହୁ ଉପକୃତ ହେବେ। ସାଂସଦ ମଧ୍ୟ ଏହି ଦାବିକୁ ରେଳ ମନ୍ତ୍ରଣାଳୟ ନିକଟରେ ଉପସ୍ଥାପନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିଲେ।ସ୍ଥାନୀୟ ଲୋକେ ବରପାଲି ରେଳ ଷ୍ଟେସନର ଏହି ନୂଆ ରୂପକୁ ସ୍ୱାଗତ କରିବା ସହ ଏହା ପଶ୍ଚିମ ଓଡ଼ିଶାର ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ କରିଛନ୍ତି।