ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ
Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି, ଢେଙ୍କାନାଳ ଜିଲ୍ଲାJuly 19, 202652 views

ଢ଼େଙ୍କାନାଳ ୧୯.୦୭- ଢେ଼ଙ୍କାନାଳ ଜିଲ୍ଲାରେ ଡେଙ୍ଗୁ ଓ ମ୍ୟାଲେରିଆର ମୁକାବିଲା କରିବା ପାଇଁ ସଦଭାବନା ଗୃହରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ସଂଜୟ ମହାପାତ୍ର ଡେଙ୍ଗୁ ଓ ମ୍ୟାଲେରିଆର ନିରାକରଣ ପାଇଁ ପରାମର୍ଶ ଦେଇ ସପ୍ତାହରେ ଥରେ ପାଣି ରହୁ ଥିବା ସ୍ଥାନକୁ ଅନୁଧ୍ୟାନ କରି ପାଣିକୁ ପରିବର୍ତ୍ତନ କରିବା, ନିଜ ପରିବେଶ ସଫା ରଖିବା, ପ୍ଲାଷ୍ଟିକ ଜିନିଷକୁ ବାହାରେ ନରଖି ଠିକ୍ ଭାବରେ ଘୋଡାଇ ରଖିବା, ବର୍ଜ୍ୟବସ୍ତୁ ଠିକ୍ ଭାବରେ ରଖିବା ଇତ୍ୟାଦିକୁ ଧ୍ୟାନ ଦେଲେ ଡେଙ୍ଗୁରୁ ରକ୍ଷା ପାଇପାରିବା ବୋଲି କହିଥିଲେ I ଡେଙ୍ଗୁ ଜର ହେଲେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରାନ୍ତୁ I ଏହା ସମ୍ପୂର୍ଣ୍ଣ ମାଗଣା I ଜ୍ଵର ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ I ଏହି ବର୍ଷ ୧୧୫୬ ଜଣଙ୍କର ରକ୍ତ ପରୀକ୍ଷା କରାଯାଇଥିଲା, ସେଥିରୁ ୮ ଜଣ ମଧ୍ୟରେ ଡେଙ୍ଗୁ ଭୁତାଣୁ ଚ଼ିହ୍ନଟ କରାଯାଇଛି I
ସେହିଭଳି ମ୍ୟାଲେରିଆକୁ ରୋକିବା ପାଇଁ ମ୍ୟାଲେରିଆ ପ୍ରବଣ ଗ୍ରାମକୁ ମେ ମାସ ରେ ସର୍ଭେ କରାଯାଇ ବିହିତ ପଦକ୍ଷେପ ନିଆଯାଇଛି I ଆଶ୍ରମ ସ୍କୁଲରେ ମ୍ୟାଲେରିଆ ପରୀକ୍ଷା କରାଯାଇ ଔଷଧ ଦିଆଯାଉଛି I ଜ୍ଵର ଥିବା ବ୍ୟକ୍ତିଙ୍କୁ ମ୍ୟାଲେରିଆ ଟେଷ୍ଟ କରାଯାଇ ଉଚିତ୍ ପଦକ୍ଷେପ ନିଆଯାଉଛି I ପ୍ରତ୍ୟେକ ଆଶା ଦିଦିଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ମହଜୁଦ ଅଛି I ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ଔଷଧ ମିଳୁଛି ସେ କହିଛନ୍ତି ।
ଏହା ବ୍ୟତୀତ ଅନ୍ୟ ପ୍ରୋଗ୍ରାମ ଯଥା ଟି ବି ନିରାକରଣର, ୧୦୮ ଆମ୍ବୁଲାନ୍ସ ସେବା,ପି ସି ପି ଏନ୍ ଡି ଟି , ଏଚ ପି ଭି ଭେସିନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚ଼ନା ହୋଇଥିଲା I ଏହି ବୈଠକରେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ବ୍ଲକ ଚିକିତ୍ସା ଅଧିକାରୀ, ଡିପିଏମ୍, ସ୍ୱାସ୍ଥ୍ୟ ମିଶନର ମ୍ୟାନେଜରମାନେ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
