--:--:--
-- ---
Srishti News

ଯକ୍ଷ ଶ୍ରୀକ୍ଷେତ୍ର ଯଖପୁରାରେ ପ୍ରଥମ ରଥଯାତ୍ରା: ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳ

Jajpur (ଯାଜପୁର)​ରିପୋର୍ଟ୍; ଅନିଲ କୁମାର ଜେନା, ଯାଜପୁର ରୋଡJuly 16, 202689 views
ଯକ୍ଷ ଶ୍ରୀକ୍ଷେତ୍ର ଯଖପୁରାରେ ପ୍ରଥମ ରଥଯାତ୍ରା: ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳ
କଳିଙ୍ଗନଗର,ତା.୧୬/୭ (): ଭକ୍ତ ଓ ଭଗବାନଙ୍କ ମହାମିଳନର ପବିତ୍ର ଅବସର। ଓଡ଼ିଶାର ସର୍ବଶ୍ରେଷ୍ଠ ଏବଂ ଜାତୀୟ ପର୍ବ ଘୋଷଯାତ୍ରା ଆଜି କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ସମଗ୍ର ବିଶ୍ୱରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ରତ୍ନବେଦୀ ଛାଡ଼ି ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପରିପ୍ରେକ୍ଷୀରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଯଖପୁରା ଗ୍ରାମରେ ଏକ ଭାବପୂର୍ଣ୍ଣ ଏବଂ ଐତିହାସିକ ପରିବେଶ ସୃଷ୍ଟି ହୋଇଛି।​ଗତ ୨୦୧୭ ମସିହା ଫେବୃଆରୀ ମାସରେ ପ୍ରତିଷ୍ଠା ହୋଇଥିବା ଯଖପୁରା ଜଗନ୍ନାଥ ମନ୍ଦିର (ଯକ୍ଷ ଶ୍ରୀକ୍ଷେତ୍ର)ରେ ଚଳିତ ବର୍ଷ ପ୍ରଥମ କରି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୯ ବର୍ଷର ପ୍ରତୀକ୍ଷା ପରେ ଏହି ପ୍ରଥମ ରଥଯାତ୍ରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଦ୍ଭୁତପୂର୍ବ ଉତ୍ସାହ ଓ ଆନନ୍ଦର ଉଲ୍ଲାସ ଦେଖିବାକୁ ମିଳିଥିଲା। ଶଙ୍ଖ, ଘଣ୍ଟ, ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଯଖପୁରା ତଥା ଶିଳ୍ପାଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।ରଥଯାତ୍ରା ଅବସରରେ ପଣ୍ଡିତମାନଙ୍କ ଦ୍ୱାରା ଶାସ୍ତ୍ରୀୟ ବିଧି ଅନୁଯାୟୀ ରଥ ପ୍ରତିଷ୍ଠା କରାଯାଇଥିଲା। ପାର୍ଶ୍ୱ ଦେବାଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବା ପରେ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ଗହଣରେ ଲୀଳାଖେଳା କରି ରଥାରୂଢ଼ ହୋଇଥିଲେ। ଏହାପରେ ଜଗନ୍ନାଥ ସଂସ୍କୃତିର ପରମ୍ପରା ଅନୁସାରେ ବିଶିଷ୍ଟ ଜଗନ୍ନାଥ ପ୍ରେମୀ ଅଶ୍ୱିନୀ କୁମାର ଧଳଙ୍କ ଦ୍ୱାରା ରଥ ଉପରେ ପବିତ୍ର 'ଛେରା ପହଁରା' ନୀତି ସମ୍ପୂର୍ଣ୍ଣ କରାଯାଇଥିଲା। ନୀତିକାନ୍ତି ଶେଷ ହେବା ପରେ ହଜାର ହଜାର ଭକ୍ତଙ୍କ ଗହଳିରେ ରଥଟଣା ଆରମ୍ଭ ହୋଇଥିଲା।ଏହି ପବିତ୍ର ଉତ୍ସବକୁ ସଫଳ କରିବା ପାଇଁ "ଯକ୍ଷ ଶ୍ରୀକ୍ଷେତ୍ର ଯଖପୁରା ସ୍ୱେଚ୍ଛାସେବୀ ସଂଗଠନ" ପକ୍ଷରୁ ପ୍ରତ୍ୟକ୍ଷ ସେବା ଓ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହା ସହିତ ଅଞ୍ଚଳର ଅନ୍ୟ ବହୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରଖର ଖରାରେ ଆସିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ, ଟଙ୍କ ତୋରାଣି ଏବଂ ଖେଚୁଡ଼ି ପ୍ରସାଦ ସେବାର ସୁବ୍ୟବସ୍ଥା କରାଯାଇଥିଲା।ଯଖପୁରା ସମେତ ଆଖପାଖ ଶିଳ୍ପାଞ୍ଚଳର ବିଭିନ୍ନ ଗ୍ରାମରୁ ପ୍ରାୟ ୧୦ ରୁ ୧୫ ହଜାର ଭକ୍ତ ମନ୍ଦିର ନିକଟରେ ଏକତ୍ରିତ ହୋଇ ରଥାରୂଢ଼ ତିନି ଦିଅଁଙ୍କ ଦର୍ଶନ ଲାଭ କରି ସୁଖ ସମୃଦ୍ଧି କାମନା କରିଥିଲେ। ​ସୂଚନାଯୋଗ୍ୟ ଯେ, ଏହି ଆଧ୍ୟାତ୍ମିକ ମହାଯାତ୍ରା ଆଗାମୀ ନଅ ଦିନ ଧରି ଚାଲିବ ଏବଂ ଏଥିପାଇଁ ସମଗ୍ର କଳିଙ୍ଗନଗର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।