--:--:--
-- ---
Srishti News

ବୀର ମାଟିରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଓ ତିଳତର୍ପଣ

Bargarh (ବରଗଡ଼)ରିପୋର୍ଟ : ବଂଶୀଧର ନାୟକJuly 15, 202623 views
ବୀର ମାଟିରେ ଉତ୍କଳମଣିଙ୍କୁ  ଶ୍ରଦ୍ଧାଞ୍ଜଳି ଓ ତିଳତର୍ପଣ
ବରଗଡ: ବୀର ମାଟିରେ ଦେଶପ୍ରାଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଓ ତିଳ ତର୍ପଣ ଅର୍ପଣ କରାଯାଇଛି। ସାରା ରାଜ୍ୟରେ ‘ସମାଜ’ ସମ୍ବାଦପତ୍ର ପକ୍ଷରୁ ଗୋପବନ୍ଧୁଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଉଥିବା ବେଳେ, ଏହି କ୍ରମରେ ରେଙ୍ଗାଳିକ୍ୟାମ୍ପ ‘ସମାଜ’ ପ୍ରତିନିଧି ଆକାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୀରାକୁଦ ମୁଖ୍ୟ କେନାଲରେ ମନ୍ତ୍ରପାଠ ପୂର୍ବକ ପୂଜାର୍ଚ୍ଚନା କରାଯାଇ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। ଏହା ପରେ ବୀର ଜନାର୍ଦ୍ଦନ ସିଂଙ୍କ ଜନ୍ମ ମାଟି ପାହରଶ୍ରିଗିଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ସାହୁଙ୍କ ସଭାପତିତ୍ୱରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥିଲା। ଏହି ସାରସ୍ଵତ ତଥା ସ୍ମୃତି ସଭାରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବିଶିଷ୍ଟ ଶିକ୍ଷୟିତ୍ରୀ ତଥା ସମାଜସେବୀ ଅନୁସୁୟା ଦେବତା ମୁଖ୍ୟବକ୍ତା ଏବଂ ପାହାରଶ୍ରିଗିଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ ସେଠ୍ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ବିଦ୍ୟାଳୟର ଶିକ୍ଷକ ଗୋପବନ୍ଧୁ ମେହେର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ଉତ୍କଳମଣିଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ସଭାରେ ମୁଖ୍ୟବକ୍ତା ଶ୍ରୀମତୀ ଦେବତା ନିଜ ବକ୍ତବ୍ୟରେ କହିଥିଲେ ଯେ, ଉତ୍କଳମଣି ଗୋପବନ୍ଧୁ ଏକାଧାରରେ ଜଣେ ସମାଜ ସଂସ୍କାରକ, ମହାନ ଦେଶପ୍ରେମୀ, ଅନନ୍ୟ ଶିକ୍ଷାବିତ୍ ଓ ଓଡ଼ିଆ ସାମ୍ବାଦିକତାର ମାଇଲଖୁଣ୍ଟ ସହ ଜଣେ ସୁ ଲେଖକ ମଧ୍ୟ ଥିଲେ। ତାଙ୍କର ଉଚ୍ଚ ଜାତୀୟତାବାଦୀ ଚିନ୍ତାଧାରା, ନିଃସ୍ଵାର୍ଥପର ମାନବ ସେବା ଏବଂ ସତ୍ୟ ଓ ମାନବିକତାର ସର୍ବୋଚ୍ଚ ସୀମାରେ ରହି କାର୍ଯ୍ୟ କରିବାର ଦିବ୍ୟ ଗୁଣ ତାଙ୍କୁ ଜଣେ ସାଧାରଣ ମଣିଷରୁ ‘ଉତ୍କଳର ମଣି’ରେ ରୂପାନ୍ତରିତ କରିପାରିଥିଲା। ତାଙ୍କ ପ୍ରଦର୍ଶିତ ମାର୍ଗକୁ ଜୀବନରେ ପ୍ରତିଫଳିତ କରାଇବା ହିଁ ତାଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ଗୋପବନ୍ଧୁଙ୍କ ଅମଳିନ ଜୀବନାଦର୍ଶ ଓ ଓଡ଼ିଆ ଜାତୀୟତା ଆନ୍ଦୋଳନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦେଶାତ୍ମବୋଧରେ ଅନୁପ୍ରାଣିତ ହେବାକୁ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମାଜ ପ୍ରତିନିଧି ଶ୍ରୀଯୁକ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ପ୍ରତିନିଧି ଶ୍ରୀଯୁକ୍ତ ମିଶ୍ର ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଝସ୍ମିତା ଗଡତିଆ, ରାକ୍ଷୀ ଭୋଇ, ସୁଶ୍ରୀ ସୀମିତା ସାହୁ, ରଞ୍ଜିତା ସାହୁ ଏବଂ ଶିକ୍ଷକ କ୍ଷୀରୋଦ କୁମାର ଖିଲାର ଓ ରୋଷହିଁ କୁମାର ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।