ଧାମନଗରରେ ସାପ କାମୁଡ଼ାରେ ଆଶା କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJuly 11, 2026193 views

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ୫ ନମ୍ବର ୱାର୍ଡର ଆଶା କର୍ମୀ ଲୀଳାବତୀ ଗୋଛାୟତଙ୍କ ମୃତ୍ୟୁକୁ ନେଇ ଧାମନଗରରେ ଉତ୍ତେଜନା ଦେଖାଦେଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ିଥିଲା। ସେ ତୁରନ୍ତ ନିଜ ଝିଅକୁ ଡାକିଥିଲେ ଏବଂ ପରିବାର ଲୋକେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ଅଭିଯୋଗ ଅନୁସାରେ, ସେଠାରେ ଡାକ୍ତର ମଧୁଶ୍ରୀ ସାହୁ ଚିକିତ୍ସା କରି ଏହାକୁ ଗ୍ୟାସ ସମସ୍ୟା ବୋଲି କହିଥିଲେ। ପରିବାର ପକ୍ଷରୁ ବାରମ୍ବାର ସାପ କାମୁଡ଼ିଥିବା କଥା କୁହାଯାଇଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଇନଥିବା ଏବଂ ରୋଗୀଙ୍କୁ ଘରକୁ ପଠାଇ ଦିଆଯାଇଥିବା ଅଭିଯୋଗ ହୋଇଛି।
ଘରକୁ ଫେରିବାର ପ୍ରାୟ ୩୦ ମିନିଟ୍ ପରେ ଲୀଳାବତୀଙ୍କ ବାନ୍ତି ହୋଇଥିଲା। ପରେ ତାଙ୍କୁ ପୁଣି ଧାମନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଏବଂ ପରବର୍ତ୍ତୀ ସମୟରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା।
ଏହି ଘଟଣାକୁ ନେଇ ଆଶା କର୍ମୀ ଓ ଗ୍ରାମବାସୀମାନେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ମୃତଦେହ ରଖି ପ୍ରାୟ ତିନି ଘଣ୍ଟା ଧରି ଧାରଣା ଦେଇଥିଲେ। ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। ଆନ୍ଦୋଳନକାରୀମାନେ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ।
ସେମାନଙ୍କର ପ୍ରମୁଖ ଦାବି ହେଉଛି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ତାଙ୍କ ଝିଅଙ୍କୁ ସରକାରୀ ଚାକିରି ଏବଂ ଅଭିଯୋଗର ସଠିକ୍ ତଦନ୍ତ କରି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ।
