ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା: ଘରୋଇ ନର୍ସିଂ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ, ଧାରଣାରେ ଶତାଧିକ ଛାତ୍ରଛାତ୍ରୀ
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵରJuly 11, 202646 views

ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ଘରୋଇ କଲେଜର ନର୍ସିଂ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ମାଡ଼ ମାରିଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନ୍ୟାୟ ଦାବିରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଶତାଧିକ ନର୍ସିଂ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି।
ଅଭିଯୋଗ ଅନୁଯାୟୀ, ଛାତ୍ରଛାତ୍ରୀମାନେ ନିଜର ବିଭିନ୍ନ ଶିକ୍ଷାଗତ ସମସ୍ୟା ଓ ପରୀକ୍ଷା ବିଳମ୍ବକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଆସିଥିବା ବେଳେ ବିଳମ୍ବିତ ରାତିରେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ ସମାଧାନ ହୋଇପାରି ନାହିଁ। ଫଳରେ ଖରା-ବର୍ଷାକୁ ଖାତିର ନକରି ଶତାଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ୪ ବର୍ଷର ନର୍ସିଂ କୋର୍ସ ଅବଧି ଶେଷ ହୋଇ ୬ ବର୍ଷ ବିତିଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସପ୍ତମ ଓ ଅଷ୍ଟମ ସେମିଷ୍ଟର ପରୀକ୍ଷା କରାଯାଉ ନଥିବା ଏବଂ ରେଜିଷ୍ଟ୍ରେସନ ନମ୍ବର ମିଳୁନଥିବା ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦିଆଯାଉଥିବା ପ୍ରତିବାଦରେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ କୁଳପତିଙ୍କ ସହ ଆଲୋଚନା ପାଇଁ ଆସିଥିଲେ। ମାତ୍ର ସେଠାରେ ଉପସ୍ଥିତ କିଛି ବିଶ୍ୱବିଦ୍ୟାଳୟର ଛାତ୍ର ସେମାନଙ୍କୁ ଗାଳିଗୁଲଜ କରିବା ସହ ନର୍ସିଂ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏହି ହାଇଡ୍ରାମା ଓ ତୀବ୍ର ଉତ୍ତେଜନା ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିବା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ହଠାତ୍ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଛାତ୍ରଛାତ୍ରୀଙ୍କ ଦାବି: "ଆମ ସହିତ ଅନ୍ୟାୟ କରାଯାଇଛି। ଆମ କ୍ୟାରିୟର ସହିତ ଖେଳାଯାଉଛି ଏବଂ ପ୍ରତିବାଦ କଲେ ଆମ ଛାତ୍ରୀମାନଙ୍କୁ ମାଡ଼ ମରାଯାଉଛି। ଯେପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ଏବଂ ଆମ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇ ନାହିଁ, ସେପର୍ଯ୍ୟନ୍ତ ଆମେ ଏହି ସ୍ଥାନରୁ ହଟିବୁ ନାହିଁ।"
ବର୍ତ୍ତମାନ ସୁଦ୍ଧା କ୍ୟାମ୍ପସ ପରିସରରେ ପରିସ୍ଥିତି ଗମ୍ଭୀର ରହିଛି ଏବଂ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସ ମଧ୍ୟ ମୁତୟନ ହୋଇ ସ୍ଥିତି ଉପରେ ନଜର ରଖିଛି। Tv
