କୋଷାଗୁମୁଡ଼ା ଲ୍ୟାମ୍ପରେ ସାର ବଣ୍ଟନକୁ ନେଇ ବିବାଦ ଗର୍ଜିଲେ ବିଧାୟକ, ପାତର ଅନ୍ତର ନକରିବାକୁ ଲ୍ୟାମ୍ପ କର୍ତ୍ତାପକ୍ଷଙ୍କୁ କଡ଼ା ତାଗିଦ
Nabarangpur (ନବରଙ୍ଗପୁର)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, ଜିଲ୍ଲା ପ୍ରତିନିଧି, ନବରଙ୍ଗପୁରJuly 11, 202654 views

ନବରଙ୍ଗପୁର: ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଚାଷୀମାନଙ୍କୁ ସାର ଅଭାବର ସମ୍ମୁଖୀନ ହେବାକୁ ନ ପଡ଼ିବ ବୋଲି ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ରାସାୟନିକ ସାର ପ୍ରତ୍ୟେକ ଲ୍ୟାମ୍ପ (LAMPS) ମାଧ୍ୟମରେ ଯୋଗାଇ ଦେଇଥିବା ସରକାରୀ ଦାବି ରହିଛି। କିନ୍ତୁ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ଲ୍ୟାମ୍ପରେ ସାର ବଣ୍ଟନକୁ ନେଇ ଦେଖାଦେଇଥିବା ଅବ୍ୟବସ୍ଥା ଓ ବୈଷମ୍ୟର ଅଭିଯୋଗ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଲ୍ୟାମ୍ପ କର୍ତ୍ତୃପକ୍ଷ ସମସ୍ତ ଚାଷୀଙ୍କୁ ସମାନ ଭାବେ ସାର ବଣ୍ଟନ ନ କରି କେତେକଙ୍କୁ ପ୍ରାଥମିକତା ଦେଉଥୂବାବେଳେ ଅନ୍ୟ ଚାଷୀମାନଙ୍କୁ ସାର ନ ମିଳିବାରୁ ସେମାନେ ହତାଶ ହେଉଛନ୍ତି। ଏହି ଭଳି ପାତର ଅନ୍ତର ଚାଷୀମାନଙ୍କ ମନରେ ସରକାରଙ୍କ ସାର ଯୋଗାଣ ବ୍ୟବସ୍ଥାକୁ ନେଇ ଭୁଲ ବାର୍ତ୍ତା ପହଞ୍ଚାଉଥିବା ସହ ଅଭାବର ଏକ କୃତ୍ରିମ ପରିସ୍ଥିତି ସୃଷ୍ଟି କରୁଥିବା ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି।
ଏହି ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ନବରଙ୍ଗପୁରର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ସ୍ବୟଂ କୋଷାଗୁମୁଡା ଲ୍ୟାମ୍ପରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ସେ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କୁ ସୃଷ୍ଟ ଭାବେ ଜଣାଇଥିଲେ ଯେ, ସାର ବଣ୍ଟନରେ କୌଣସି ପ୍ରକାର ବୈଷମ୍ୟ କିମ୍ବା ପାତର ଅନ୍ତର ଗ୍ରହଣଯୋଗ୍ୟ ନୁହେଁ। ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ନିୟମ ଅନୁଯାୟୀ ସମାନ ସୁଯୋଗ ଓ ସାର ଯୋଗାଇ ଦେବାକୁ ସେ କଡ଼ା ତାଗିଦ କରିଥିଲେ।
ବିଧାୟକ ଶ୍ରୀ ମାଝୀ କହିଥିଲେ ଯେ, ସରକାର ଚାଷୀଙ୍କ ସ୍ବାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପର୍ଯ୍ୟାପ୍ତ ସାର ଯୋଗାଣର ବ୍ୟବସ୍ଥା କରିଛନ୍ତି। ତେଣୁ ତୃଣମୂଳ ସ୍ତରରେ ଯଦି କୌଣସି ଅବହେଳା, ଅନିୟମିତତା କିମ୍ବା ପକ୍ଷପାତ ହୁଏ, ତାହା ସହ୍ୟ କରାଯିବ ନାହିଁ। ଚାଷୀଙ୍କ ସ୍ବାର୍ଥ ବିରୋଧୀ କାର୍ଯ୍ୟ ପ୍ରତି ପ୍ରଶାସନ ଓ ସମ୍ପୂକୁ ବିଭାଗ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।
ଏପଟେ ବିଧାୟକଙ୍କ ହସ୍ତକ୍ଷେପ ପରେ ଚାଷୀମାନଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଥିବା ବେଳେ, ଆଗାମୀ ଦିନରେ ସାର ବଣ୍ଟନ ପ୍ରକ୍ରିୟା ସ୍ବଚ୍ଛ ଓ ନିରପେକ୍ଷ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। ଚାଷ ଋତୁର ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ କୌଣସି ଚାଷୀ ସାରରୁ ବଞ୍ଚିତ ନ ହୁଅନ୍ତୁ, ସେଥୂପାଇଁ ପ୍ରଶାସନ ପକ୍ଷରୁ କଡ଼ା ନଜରଦାରି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
