ଅନୁଗୋଳକୁ ଆସୁଛି ୧୦୮୦ ମେଗାୱାଟ୍ ପାୱାର ପ୍ଲାଣ୍ଟ; ନାଲକୋ-ଏନଏଲସି ଇଣ୍ଡିଆ ମଧ୍ୟରେ ବଡ଼ ଚୁକ୍ତି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 10, 2026101 views

ଅନୁଗୋଳ: ଅନୁଗୋଳରେ ୧୦୮୦ ମେଗାୱାଟ୍ କ୍ୟାପ୍ଟିଭ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ନାଲକୋ ଓ ଏନଏଲସି ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ମିଳିତ ଉଦ୍ୟମ (ଜେଭି) ଚୁକ୍ତି ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିଲା।
ଏହି ମିଳିତ ଉଦ୍ୟମରେ ଉଭୟ କମ୍ପାନୀର ୫୦-୫୦ ପ୍ରତିଶତ ଅଂଶୀଦାରିତ୍ୱ ରହିବ। ପ୍ରକଳ୍ପରୁ ଉତ୍ପାଦିତ ୧୦୦ ପ୍ରତିଶତ ବିଦ୍ୟୁତ୍ ୨୫ ବର୍ଷ ପର୍ଯ୍ୟନ୍ତ ନାଲକୋକୁ ଯୋଗାଣ କରାଯିବ। ସେହିପରି ଦୀର୍ଘକାଳୀନ କୋଇଲା ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯିବ।
ଅନୁଗୋଳରେ ନାଲକୋର ଆଲୁମିନିୟମ ସ୍ମେଲ୍ଟର ସମ୍ପ୍ରସାରଣ ପାଇଁ ଅତିରିକ୍ତ ବିଦ୍ୟୁତ୍ ଆବଶ୍ୟକତା ପୂରଣ ଉଦ୍ଦେଶ୍ୟରେ ଏହି ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ। ଏହା ସହ ୨୦୦ରୁ ୨୫୦ ମେଗାୱାଟ୍ ନବୀକରଣଯୋଗ୍ୟ ଶକ୍ତି ଯୋଗାଣ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।
ଏହି ପ୍ରକଳ୍ପ ଅନୁଗୋଳର ଶିଳ୍ପ ବିକାଶକୁ ନୂଆ ଗତି ଦେବା ସହ ନାଲକୋର ଭବିଷ୍ୟତ ସମ୍ପ୍ରସାରଣ ଯୋଜନାକୁ ସୁଦୃଢ଼ କରିବ ବୋଲି କୁହାଯାଇଛି।
